କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର : ତଦନ୍ତ ଦାବି
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତ ସ୍ଥିତ ନୂଆଗାଁ ଗ୍ରାମରେ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମିତ କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ଅବଦାନ ଗ୍ରାମପଞ୍ଚାୟତର ନୂଆଗାଁ ଗ୍ରାମରେ ନିର୍ମିତ କଂକ୍ରିଟ ଢଳେଇ ରାସ୍ତା କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ, ଲୁଣା ବାଲି ବ୍ୟବହାର କରାଯାଇ କାର୍ଯ୍ୟ କରାଯାଇଥିବା ବେଳେ ଏଷ୍ଟିମେଣ୍ଟ ଅନୁଯାୟୀ କାର୍ଯ୍ୟ କରାଯାଇ ନଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଅବଦାନ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନା, ଓ୍ବାର୍ଡ ସଭ୍ୟା ସୁମିତ୍ରା ମଲ୍ଲିକ, କୁମର ସେଠୀ, ଲୋକନାଥ ଦାସ ଓ ଦୀପକ ସାହୁଙ୍କ ସମେତ ଗ୍ରାମବାସୀ ମାନଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓ କାକଟପୁର, ତହସିଲଦାର କାକଟପୁର, ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ବର୍ଯ୍ୟବସ୍ତୁ ପରିଚାଳନା ଯୋଜନାରେ ନୂଆଗାଁ ଗ୍ରାମର ଖାତାନଂ – ୨୪୯, ପ୍ଲଟନଂ – ୧୨୯୮ ଓ ୧୨୯୯ରେ ବେଆଇନ ଭାବେ ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା ଗ୍ରାମ ପଞ୍ଚାୟତ ପ୍ରବର୍ତ୍ତକ ସ୍ଥାନୀୟ ଓ୍ବାର୍ଡ ସଭ୍ୟା ଓ ଗ୍ରାମବାସୀଙ୍କ ଅଗୋଚର କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ପ୍ରରୋଚନାରେ ପଡି ଏଭଳି କାମ କରିଛନ୍ତି ବୋଲି ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟର ତଦନ୍ତ କରିବା ପାଇଁ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଯୋଗକାରୀ ମାନେ ଦାବି କରିଛନ୍ତି । ଏହି କାର୍ୟ୍ୟର ଯଦି ବିଲ କରାଯାଏ ତାହାଲେ ଆଇନର ଆଶ୍ରୟ ନିଆଯିବ ବୋଲି ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ନାରାୟଣ ଜେନା ଓ ଓ୍ବାର୍ଡ ସଭ୍ୟା ସୁମିତ୍ରା ମଲ୍ଲିକ ପ୍ରମୁଖ ପ୍ରକାଶ କରିଛନ୍ତି ।