କଂଗ୍ରେସର ଇସ୍ତହାର ଦିନରେ ସ୍ୱପ୍ନ ଦେଖିଲା ଭଳି – ମୋଦୀ
ଭବାନୀପାଟଣାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି। ଏଥର ଓଡ଼ିଶା ଏକ ଇତିହାସ ରଚନା କରିବାକୁ ଯାଉଛି। ଯାହା ତ୍ରିପୁରାରେ ହୋଇଛି, ତାହା ଏଥର ଓଡ଼ିଶାରେ ହେବ। ଓଡ଼ିଶାରେ ଏଥର ବିଜେପି ସରକାର ହେବ। ଯେଉଁ ବିକାଶ ଧାରା ୧୯ ବର୍ଷରେ ହୋଇନି, ତାହା ଆମେ ୫ ବର୍ଷରେ କରି ଦେବୁ।ସେ କହିଥିଲେ,”ଓଡ଼ିଶାରେ ପରିବର୍ତ୍ତନ ଆଣନ୍ତୁ ଓ କେନ୍ଦ୍ରରେ ଆମ ସରକାରକୁ ଆହୁରି ମଜବୁତ କରିବାକୁ ଭୋଟ୍ ଦିଅନ୍ତୁ। ବିକାଶର ଡବଲ୍ ଇଞ୍ଜିନ୍ ପାଇଁ ଆପଣମାନଙ୍କୁ ଭୋଟ୍ ଦେବାକୁ ହେବ।”ବିଜେଡିକୁ ଟାର୍ଗେଟ୍ କରି ଲୋକଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ,”୨୦୧୪ରେ ଏଠି ବିଜେପି ସରକାର ହୋଇଥିଲେ ବିକାଶ କାମ ତ୍ୱରାନ୍ୱିତ ହୋଇଥାନ୍ତା। ଏଠି ବସିଥିବା ରାଜ୍ୟ ସରକାର ବିଲକୁଲ ସହଯୋଗ କରୁନାହାନ୍ତି। ତା’ ସତ୍ତ୍ୱେ ମୁଁ ଆପଣଙ୍କ କାମ କରୁଛିରାଜ୍ୟ ସରକାରଙ୍କ ଉପରେ ବର୍ଷି ସେ କହିଥିଲେ, କେନ୍ଦ୍ର ସରକାର ଧାନ ଓ କପାର ଏମ୍ଏସ୍ପି ବଢ଼ାଇଛନ୍ତି। କିନ୍ତୁ ଏଠିକା ସରକାର ଠିକ୍ ଭାବେ ଏଗୁଡ଼ିକୁ କିଣୁ ନାହାନ୍ତି। ଦେଶର କୋଟି କୋଟି ଚାଷୀଙ୍କୁ ସହାୟତା ମିଳୁଛି। କିନ୍ତୁ ଓଡ଼ିଶା ଚାଷୀ ସହାୟତା ପାଉନାହାନ୍ତି। କାରଣ ଆୟୁଷ୍ମାନ ଭାରତ ଭଳି ପିଏମ୍ କିଷାନକୁ ଅସହଯୋଗ କରୁଛନ୍ତି ଓଡ଼ିଶା ସରକାର।ପ୍ରଧାନମନ୍ତ୍ରୀ କହିଥିଲେ, ଗତ ୨ ଦଶନ୍ଧିରେ ଏଠି (ଓଡ଼ିଶାରେ) ଖଣି ଓ ଚିଟ୍ଫଣ୍ଡ୍ ମାଫିଆଙ୍କୁ ପ୍ରଶ୍ରୟ ମିଳିଛି। ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ମାଫିଆଙ୍କ ହାତକୁ ପଳାଇଛି।ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରି ସେ କହିଥିଲେ, ଏ ଦୁଇ ଦଳ ଗରିବଙ୍କୁ ଗରିବ ରଖିବା ପାଇଁ ଚାହୁଁଛନ୍ତି। ଗରିବଙ୍କୁ ଭୋଟ୍ ବ୍ୟାଙ୍କ୍ କରି ପ୍ରତିଥର ଧୋକା ଦେଉଛନ୍ତି। ଗରିବୀ ପାଇଁ ଦାନ ମାଝୀ ଭଳି ଲୋକଙ୍କୁ ଆମ୍ବୁଲାନ୍ସ ଟିଏ ମିଳୁନି। ଏହି ଧୋକା ପାଇଁ କେତେ ଲୋକ କାମ ପାଇଁ ବାହାରକୁ ଯାଉଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ,”କଳାହାଣ୍ଡିରେ ରାଜୀବ ଗାନ୍ଧି କହିଥିଲେ କେନ୍ଦ୍ର ସରକାର ପଠାଉଥିବା ଟଙ୍କା ଗାଁରେ ପହଞ୍ଚୁନି। ଦିଲ୍ଲୀରୁ ୧ ଟଙ୍କା ପଠାଇଲେ, ଗାଁରେ ୧୫ ପଇସା ପହଞ୍ଚୁଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ଯଦି ତାହା ଜାଣିଥିଲେ, ତା’ର ସେ କ’ଣ ପ୍ରତିକାର କରିଥିଲେ? ଡାକ୍ତର ରୋଗ ଜଣାଇଲେ, କିନ୍ତୁ ଔଷଧ ଦେଲେନି। କେବଳ ମୋଦି ରୋଗ ଚିହ୍ନେ ଓ ତା ପାଇଁ କଡ଼ା ଔଷଧ ଦିଏ। ଆମ ସରକାର ପଠାଉଥିବା ଟଙ୍କା ଲୋକଙ୍କ ପାଖରେ ପହଞ୍ଚୁଛି।”


