କଅଁଳେଇବାଲିପାଳ ଗ୍ରାମରେ ପାଣିପାଇଁ ଲମ୍ବାଧାଡି
ହାଟଡିହିି, (ବିକାଶ ବିଶ୍ୱାଳ):ଖରାଦିନ ଆରମ୍ଭ ହୋଇନି କିନ୍ତୁ ପାନୀୟ ଜଳ ସମସ୍ୟା ଦେଖା ଦେଲାଣି । ହାଟଡିହି ବ୍ଲକର ଆଦିବାସୀ ଅଧ୍ୟୁଷିତ କଅଁଳେଇବାଲିପାଳ ଗ୍ରାମରେ ଏବେ ପାନୀୟଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏହି ଗ୍ରାମରେ ୧୫୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ଜନ ବସତି ଗୁଡିକ ଛଡାଛଡି ହୋଇ ରହିଛି । ଏମାନଙ୍କ ଲାଗି ତିନୋଟି ନଳକୂପ ଥିଲେବି ଜଳସ୍ଥର କମି ଯାଇଥିବାରୁ ଏବେ ନଳକୂପ ଗୁଡିକ ଅଚଳ ହୋଇ ଗଲାଣି । ଅନେକ ସମୟ ହେଣ୍ଡଲ ଧରି ହଲେଇଲେ ଟୋପାଏ ଟୋପାଏ ପାଣି ବାହାରୁଛି । ଫଳରେ ମହିଳାମାନେ ପାଣି ଟୋପାଏ ପାଇବାପାଇଁ ସକାଳ ପହରୁ ଧାଡିରେ ପାଣି ପାଇଁ ଠିଆ ହୋଇ ରହୁଛନ୍ତି । କେବଳ ଗୋଟିଏ ଗରା କିମ୍ବା ଗୋଟିଏ ଡେକଚି ପାଣିରୁ ଅଧିକ କେହି ନେଇପାରୁ ନାହାନ୍ତି । ଅନେକ ସମୟରେ ଏହି ପାଣିପାଇଁ ପରଷ୍ପର ଭିତରେ ପାଟିତୁଣ୍ଡ ଲାଗୁଥିବା ଦେଖିବାକୁ ମିଳୁଛି । ନଳକୂପ ଗୁଡିକ ଦୁର ଦୁରାନ୍ତରେ ଥିବାରୁ ପ।।ଣିପାଇଁ ଗୋଟେ କି ଦୁଇ କିଲୋମିଟର ବାଟ ଯିବାକୁ ପଡୁଛି । ପାଣି ସମସ୍ୟା ଦୁର କରିବାକୁ ଡବର ସାହି,ବର୍ଜୁ ସାହି, ଜେନା ସାହି, ସାନଙ୍ଗି ସାହି, ଭାଇଗ ସାହି, ପାଣ୍ଡୁ ସାହି, ନରି ସାହି, ବିଷ୍ଣୁ ସାହି, ଦେଶବନ୍ଧୁ ସାହି, ଜୁନା ସାହି ଆଦି ସ୍ଥାନରେ ନଳକୂପ ବସାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ଗ୍ରାମର ଲୋକମାନେ ରାସ୍ତା, ପାନୀୟଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ଏମାନେ ଭୋଟ ବର୍ଜନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କର କୌଣସି ଗୋଟିଏବି ସମସ୍ୟା ସମାଧାନ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେଲା ନାହିଁ । ତେଣୁ ପାନୀୟଜଳ ସମସ୍ୟା ସମାଧାନ କରାନଯାଏ ତେବେ ଗ୍ରାମବାସୀମାନେ ଆଗାମି ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।