କଙ୍ଗାରୁ କୋର୍ଟରେ ୬ପରିବାରଙ୍କୁ ସାମାଜିକ ବାଛନ୍ଦ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବୈକୁଣ୍ଠପୁର ସାମିଲ ମୂଷାଡିହା ଗ୍ରାମର ୨୦୧୭ମସିହାରୁ ସାମାଜିକ ତଥା ନିଆଁ ପାଣି ବାଛନ୍ଦ ହୋଇଥିବା ୬ଟି ପରିବାର ସବୁଠୁଁ ନିରାଶ ହେବାପରେ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ସେମାନେ ବାଧ୍ୟହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ସେହି ଗ୍ରାମର କେତେକ ଅସାମାଜିକ ଯୁବକ ଏକ ଉତ୍ସୃଙ୍ଖଳ ଦଳ ଗଠନ କରି ୨୦୧୭ ମସିହାରୁ ଗ୍ରାମର ବିଭିନ୍ନ ଧର୍ମାନୁଷ୍ଠାନ ନାମରେ ବାଧ୍ୟତାମୂଳକ ଭାବେ ମୁଣ୍ଡପିଛା ବେଆଇନ ଭାବେ ଚାନ୍ଦା ଆଦାୟ କରି ଆସୁଥିବା ବେଳେ ସେହି ଚାନ୍ଦାର ପରିମାଣ ଏପରି ରହିଛି ଯେ ଜଣେ ସାଧାରଣ ଗରୀବ ଲୋକ ପକ୍ଷେ ଦେବା ସମ୍ଭବ ନୁହେଁ । ଏଣୁ ଏହି ବେଆଇନ ଭାବେ ଆଦାୟ କରାଯାଉଥିବା ଚାନ୍ଦା ଆଦାୟକୁ ଅଭିଯୋଗକାରୀମାନେ ପ୍ରତିବାଦ କରିବାରୁ ସେହି ଉତ୍ସୃଙ୍ଖଳ ବ୍ୟକ୍ତିମାନେ ଗତ ୨୦୧୭ମସିହା ଜୁନମାସ ୧ତାରିଖରେ ଗ୍ରାମର ପ୍ରଫୁଲ୍ଲ କୁମାର ନାୟକଙ୍କ ଘରେ ଜୋରଜବରଦସ୍ତ ପଶି ତାଙ୍କୁ ମାରଧର କରିବା ସହ ତାଙ୍କ ଘରେ ଥିବା ବର୍ଷକର ଖାଦ୍ୟଶସ୍ୟ ଯଥା ଧାନ,ବିରି,ମୁଗ ସମେତ ସୁନା ଓ ଟଙ୍କା ପ୍ରଭୃତି ଲୁଟ କରିନେବା ସହିତ ଗୃହକର୍ତ୍ତାଙ୍କ ହାତ ବାଡେଇ ଭାଙ୍ଗି ଦେଇଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଥିଲା । ଏଥିସହିତ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଭିଯୋଗକାରୀ ୬ଟି ପରିବାରକୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ବାରମ୍ବାର ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ବିଲରେ ସେମାନଙ୍କ ଫସଲକୁ ବାରମ୍ବାର ନଷ୍ଟ କରିଦେବା,ବିଲରେ ହଳ କରାଯିବା ନିମନ୍ତେ ସବୁ ପାୱାର ଟିଲର ଓ ଟ୍ରାକ୍ଟର ମାଲିକଙ୍କୁ ବେନିୟମ ଭାବେ ଧମକ ଦିଆଯାଇ ବାରଣ କରାଯିବା,ଗ୍ରାମର ସାଧାରଣ ଲୋକଙ୍କୁ ଧମକାଇ ଏହି ପରିବାରର ସଦସ୍ୟମାନଙ୍କ ସହିତ କଥା ହେବାକୁ ବାରଣ କରାଯିବା ସମେତ ୬ଟି ପରିବାରକୁ ସାମାଜିକ ବାଛନ୍ଦ କରାଯାଇ ନିଆଁ ପାଣି ବନ୍ଦ କରାଯାଇଛି ବୋଲି ସମସ୍ତ ଗ୍ରାମବାସୀଙ୍କୁ ଜଣାଇ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏହା ପରେ କିଛି ଗ୍ରାମର ଲୋକ ଏହି ବାଛନ୍ଦ ପରିବାର ସହିତ କଥା ହେବାରୁ ସେମାନଙ୍କୁ ଧମକ ଦିଆଯାଇ,ମାଡ ମରାଯାଇ ଜୋର ଜବରଦସ୍ତ ସେମାନଙ୍କ ଠାରୁ ୫ଶହ ଟଙ୍କା କରି ଜୋରିମାନା ଆଦାୟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହା ବ୍ୟତିତ ସେହି ଉତ୍ସୃଙ୍ଖଳ ବ୍ୟକ୍ତିମାନେ ଏକ ନିୟମ ପ୍ରଣୟନ କରିଛନ୍ତି ଯେ ଯଦି ଗ୍ରାମର କୈାଣସି ବ୍ୟକ୍ତି ଏହି ବାଛନ୍ଦ ୬ଘରର ଲୋକଙ୍କ ସହିତ ଅନ୍ୟ କୈାଣସି ଗ୍ରାମର ଲୋକ କଥା ହେଉଥିବା ସମ୍ପର୍କରେ ଉତ୍ସୃଙ୍ଖଳ ବ୍ୟକ୍ତିଙ୍କ କଙ୍ଗାରୁ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରେ ତେବେ ସେହି ବ୍ୟକ୍ତିକୁ ଜୋରିମାନା ଆଦାୟ ଅର୍ଥରୁ ୨ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଏଭଳି ଭାବେ ଗ୍ରାମର ପ୍ରାୟ ୩/୪ଜଣଙ୍କ ଠାରୁ ଜୋରଜବରଦସ୍ତି ଜୋରିମାନା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । ସେମାନେ ଭୟରେ ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି । ଦୀର୍ଘ ୩ବର୍ଷ ଧରି ଏହି ୬ଟି ପରିବାର ନିର୍ଯ୍ୟାତିତ ହୋଇ ଆସୁଥିବା ବେଳେ ଅନ୍ୟତ୍ର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଏହି ଅଭିଯୋଗକାରୀଙ୍କ ଅଭିଯୋଗ ଉପରେ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ପ୍ରଥମେ ଗତ ୨୦୧୭ ମସିହା ନଭେମ୍ବରମାସ ୨୯ତିରିଖରେ ୨୪୫/୨୦୧୭ରେ ପାଟକୁରା ଥାନାରେ ଆଇ.ପି.ସି.ର ଦପା ୩୪୧, ୨୯୪, ୩୨୩, ୩୨୫, ୩୦୭, ୩୫୪, ୩୭୯, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ଗତ ୨୦୧୮ମସିହା ଜାନୁଆରିମାସ ୭ତାରିଖରେ ୯/୨୦୧୮ରେ ଆଇ.ପି.ସି.ର ଦଫା ୩୪୧, ୨୯୪, ୩୨୩, ୪୨୭, ୪୪୮, ୩୫୪, ୩୮୦, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ ହୋଇଥିଲା । ଚଳିତ ବର୍ଷ ନଭେମ୍ବରମାସ ୩ତାରିଖରେ ୩୪୩/୨୦୧୯ରେ ଆଇ.ପି.ସି.ର ଦଫା ୩୪୧,୩୪୨,୨୯୪,୩୨୩,୫୦୬ ଓ ୩୪ ଧାରାରେ ମଧ୍ୟ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଅଭିଯୋଗକାରୀମାନେ କହିଛନ୍ତି । ଏହିଭଳି ଭାବେ ପ୍ରାୟ ୪୦ତରରୁ ଉର୍ଦ୍ଧ୍ୱ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ପ୍ରତିଥର ଅତ୍ୟାଚାରିତ ହେବା ପରେ ସେହି ପରିବାର ପକ୍ଷରୁ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଅଦ୍ୟାବଧି ନିର୍ଯ୍ୟାତିତ ପରିବାର ଗୁଡିକୁ ଉଚିତ ନ୍ୟାୟ ପ୍ରଦାନ କରାଯାଇ ନାହିଁ କି ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇନି । ବରଂ ନିର୍ଯ୍ୟାତିତ ପରିବାରଗୁଡିକୁ ଅଧିକ ନିର୍ଯ୍ୟାତନା ସହିବାକୁ ପଡିଛି । ସେହି ୬ଟି ପରିବାରର ସଦସ୍ୟମାନେ ବାରମ୍ବାର ନିର୍ଯ୍ୟାତନା ସହି ମାନସୀକ ଭାରସାମ୍ୟ ହରାଇବାକୁ ବସିଲେଣି । ଏକ ଗଣତନ୍ତ୍ର ରାଷ୍ଟ୍ରରେ ସାଧାରଣ ନାଗରିକ ଭାବେ ବଂଚିବାର ଅଧିକାରରୁ ସେମାନଙ୍କୁ ବଂଚିତ କରାଯାଇଥିବା ମଧ୍ୟ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ନିର୍ଯ୍ୟାତନା ଓ ମାନସିକ ଯନ୍ତ୍ରଣାରୁ ସେମାନଙ୍କୁ ମୁକ୍ତି ନମିଳିଲେ ଜୀବନଜୀବିକାର ସୁରକ୍ଷା ପାଇଁ ଅଭିଯୋଗକାରୀ ନିତ୍ୟାନନ୍ଦ ଦାଶ, ଅଶୋକ କୁମାର ଦାଶ, ପ୍ରଫୁଲ୍ଲ କୁମାର ନାୟକ, ଗୈାରାଙ୍ଗ ଚରଣ ଦାଶ, ସୈାମ୍ୟରଞ୍ଜନ ଦାଶ, ଭ୍ରମରବର ଦାଶ ପ୍ରମୁଖ ଗାନ୍ଧିଜୀଙ୍କ ଅହିଂସା ମାର୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳଙ୍କୁ କହିଛନ୍ତି । ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ.ପି.ଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।