କଚ୍ଛପ ଗତିରେ ଚାଲିଛି ସରତାନାଳ ପୋଲ କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ପାଳଦାବାଙ୍କ ଠାରୁ ଯାଜପୁର ବହ୍ଲବୀଘାଟ ଯାଏଁ ପ୍ରାୟ ୧୩କି.ମି. ପୂର୍ତ୍ତବିଭାଗ ରାସ୍ତା ଦୁଇବର୍ଷ ପୂର୍ବେ ସମ୍ପୂର୍ଣ୍ଣ କଂକ୍ରିଟକରଣ ହୋଇଥିବାବେଳେ ଚଳିତବର୍ଷ ରାସ୍ତାର ଚାରିଗୋଟି ସ୍ଥାନରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିପାଇଁ ବିଭାଗ ପକ୍ଷରୁ ପ୍ରାୟ ୫କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲାର ଜଣେ ଠିକାଦାରକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଅଟକଳ ଅନୁସାରେ ରାସ୍ତାର ସରସଦା, ପଟାପୋଲ, ସାନମାଳଦା, ମାଳଦା ନିକଟ ସର୍ତ୍ତାନାଳ, ଖପୁରିଆପଦା ଓ ମଣିନାଥପୁର ପ୍ରମୁଖ ସ୍ଥାନ ଗୁଡିକରେ ଛୋଟବଡ ଆଠଗୋଟି ପୋଲ ନିର୍ମାଣ ହେବ । ତନ୍ମଧ୍ୟରୁ ଚାରିଗୋଟି ସ୍ଥାନରେ ପୋଲ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ତିନିମାସ ପୂର୍ବରୁ ଏନେଇ ଭିତ୍ତପ୍ରସ୍ଥର ସ୍ଥାପନ ହୋଇଥିବାବେଳେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଯଥାଶୀଘ୍ର ପୋଲ ନିର୍ମାଣ କାଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିତାପର ବିଷୟ ତିନିମାସ ବିତିଯାଇଥିଲେ ସୁଦ୍ଧା ଗମନାଗମନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ସରତାନାଳ ପୋଲ ନିର୍ମାଣ କାର୍ଯ୍ୟ କଚ୍ଛପଗତିରେ ଚାଲିଛି । ଠିକାଦାର ଜଣକ କାର୍ଯ୍ୟାଦେଶ ପାଇଲାପରେ ଅନ୍ୟଜଣେ ସ୍ଥାନୀୟ ଠିକାଦାରକୁ କାର୍ଯ୍ୟଭାର ଦେଇଥିବାବେଳେ ସେ କାମକୁ ମନ୍ଥର ଗତିରେ କରୁଥିବା ଦେଖାଯାଉଛି । ଏପରିକି ସରତାନାଳ ଠାରେ ପୋଲ ପାଇଁ କେବଳ ପ୍ରାଥମିକ ବେସ ପଡିଥିବାବେଳେ ପିଲର ପାଇଁ ଲୁହାଛଡର ବିମ ଏଯାଏଁ ବନ୍ଧା ସରିନାହିଁ । କେଉଁଦିନ ପିଲର ନିର୍ମାଣ ହୋଇ ଛାତ ପଡିବ ତାହାକୁ ନେଇ ବିଭିନ୍ନ ସନ୍ଦେହ ଯାତ ହୋଇଛି । ଏପଟେ ବୈଶାଖ ମାସ ଉପନୀତ ହୋଇଥିବାବେଳେ ଚାରିଟା ହେଲେ ତୁହାକୁ ତୁହା କାଳବୈଶାଖି ବର୍ଷା ମାଡି ଆସୁଛି । ସାମାନ୍ୟ ବର୍ଷା ହେଲେ ଆଖପାଖ ଅଞ୍ଚଳର ପାଣି ସର୍ତ୍ତାନାଳରେ ଭରିଯିବ । ତେଣୁ ଜଳନିଷ୍କାସନ ପାଇଁ ଠିକାଦାର କୋଣସି ଅସ୍ଥାୟୀ ବାଟ ରଖିନଥିବାବେଳେ ଏପଟେ ପୋଲ ନିର୍ମାଣ କାର୍ଯ୍ୟକୁ ବିଳମ୍ବ କରୁଛନ୍ତି । ଯେଉଁଥିପାଇଁ ଅସଳାଏ ଜୋର ବର୍ଷା ହେଲେ ପ୍ରାୟ ୧୫/୨୦ଗୋଟି ଗ୍ରାମର ଲୋକ ଯାତାୟତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବେ । ଏପରିକି ଷୋଳମପୁର ପଞ୍ଚାୟତର ଲୋକ ଭଣ୍ଡାରିପୋଖରୀ ଆସିବା କଷ୍ଟକର ହୋଇଯିବ । ଏହାସହିତ ମାଳଦା, ରହଣିଆ, ସରସଦା, କୁରିଗାଁ ପ୍ରମୁଖ ପଞ୍ଚାୟତ ଲୋକମାନେ ବିଭିନ୍ନ କାର୍ଯ୍ୟରେ ପଡୋଶୀ ଯାଜପୁର ଜିଲ୍ଲାକୁ ଯାଇପାରିବେ ନାହିଁ । ପୋଲ ନିର୍ମାଣ କାର୍ଯ୍ୟ ଯେଉଁଭଳି ଭାବେ ଚାଲିଛି ମୌସୁମୀ ବର୍ଷା ଆସିବା ପୂର୍ବରୁ ଯଦି ସମ୍ପୂର୍ଣ୍ଣ ନହୁଏ ତାହେଲେ ସାଧାରଣ ଯାତାୟତ ବ୍ୟବସ୍ଥା ଏଥିରେ ଠପ ହୋଇଯିବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ