କଟକ ଆସିବେ ଗାଙ୍ଗୁଲି, ଆଝାର
କଟକ: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ବେଳେ ଭାରତୀୟ ଦଳର ଦୁଇ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ ଓ ସୌରଭ ଗାଙ୍ଗୁଲିଙ୍କୁ ଦେଖିବାକୁ ମିଳିବ । ଉଭୟ ଦଳଙ୍କ ମଧ୍ୟରେ ହେବାକୁ ଥିବା ଫାଇନାଲ୍ ମ୍ୟାଚରେ ଏମାନେ ଓସିଏର ସ୍ୱତନ୍ତ୍ର ଅତିଥି ଭାବେ ଷ୍ଟାଡିୟମରେ ଉପସ୍ଥିତ ରହିବେ । ବିସିସିଆଇର ସଭାପତି ଭାବେ ସୌରଭଙ୍କ ସହ ସମ୍ପାଦକ ଜୟ ଶାହ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହିତ ବିଭିନ୍ନ ରାଜ୍ୟ ସଂଘର ସଭାପତି ଓ ସମ୍ପାଦକମାନଙ୍କୁ ମଧ୍ୟ ଡକାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଆଝାରୁଦ୍ଦିନ୍ ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ୍ ସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଏଥିସହିତ ଉକ୍ତ ଦୁଇ ପୂର୍ବତନ ଅଧିନାୟକଙ୍କ ସହ ଓସିଏର ବହୁ ପୁରୁଣା ସମ୍ପର୍କ ରହିଛି । ଆଝାରୁଦ୍ଦିନ୍ ତାଙ୍କ ଖେଳ ଜୀବନର ସର୍ବାଧିକ ରନ୍ (୧୫୩*) ବାରବାଟୀରେ ହାସଲ କରିଥିଲେ । ୧୯୯୮ ଏପ୍ରିଲ ୯ ତାରିଖରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଜିମ୍ବାୱେ ବିପକ୍ଷ ପଞ୍ଚମ ମ୍ୟାଚରେ ସେ ଏହି କୀର୍ତ୍ତିମାନ କରିଥିଲେ । ଅନ୍ୟପକ୍ଷରେ ଗାଙ୍ଗୁଲି ଯଦିଓ ଏଠାରେ ୪ଟି ମ୍ୟାଚ୍ ଖେଳିଛନ୍ତି, କିନ୍ତୁ ତାଙ୍କର ପ୍ରଦର୍ଶନ ନିରୁତ୍ସାହଜନକ ଥିଲା । ହେଲେ ବିସିସିଆଇର ସଭାପତି ହେବା ପରେ ତାଙ୍କର ଓସିଏ ପ୍ରତି ବଡ଼ ଅବଦାନ ରହିଥିଲା । ଫନି କ୍ଷୟକ୍ଷତିର ଭରଣା କରିବାକୁ ଓ ଆନ୍ତର୍ଜାତିକ ଦିନିକିଆକୁ ଆୟୋଜନ କରିବା ପାଇଁ ଜରୁରୀକାଳୀନ ପାଣ୍ଠିରୁ ସେ ୧୦ କୋଟି ଟଙ୍କା ଓସିଏକୁ ପ୍ରଦାନ କରିଥିଲେ । ଯାହାଫଳରେ ଆଗାମୀ ମ୍ୟାଚକୁ ସଫଳତାର ସହ ଆୟୋଜନ କରିବାକୁ ଓସିଏ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିଲା । କେବଳ ଏତିକି ନୁହେଁ, ବାରବାଟୀକୁ ଦୀର୍ଘଦିନରୁ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ମିଳୁନଥିବାରୁ, ଏହି ଦିନିକିଆ ମ୍ୟାଚ୍ ଜରିଆରେ ସୌରଭଙ୍କୁ ମନାଇବା ପାଇଁ ଉଦ୍ୟମ କରାଯିବ । ଇଡେନ୍ ଗାର୍ଡେନ୍ସ ପିଚ୍ ଅପେକ୍ଷା ବାରବାଟୀ ପିଚ୍ କେତେ ଭଲ ତାହା ଏଠାରେ ପ୍ରମାଣିତ କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।