କଟକ ଐତିହାସିକ ବାଲିଯାତ୍ରା- ଏଥର ମହାନଦୀ ଭିତରେ ଡଙ୍ଗାରେ ହେବ ଷ୍ଟେଜ୍
କଟକ : ନଭେମ୍ବର ୧୨ରୁ ୧୯ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଐତିହାସିକ ବାଲିଯାତ୍ରାକୁ ଏଥର ନୂଆ ରୂପ ଦେବାକୁ ପଦକ୍ଷେପ ନେଇଛି ପ୍ରଶାସନ । ବାଲିଯାତ୍ରା ପ୍ରତ୍ୟେକ ଦିନ ସକାଳୁ ପଥୋତ୍ସବରୁ ଆରମ୍ଭ ହେବ । ପରେ ପରେ ଅନୁଷ୍ଠିତ ହେବ ବାଲିଯାତ୍ରା ସଂପର୍କିତ ଆଲୋଚନାଚକ୍ର । ବେପାର ବଣିଜ ସହିତ ବୋଟିଂ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଚାଲିବ ରାତି ପର୍ଯ୍ୟନ୍ତ । କଟକର ଯେକୌଣସି ସ୍ଥାନରୁ ବାଲିଯାତ୍ରା ପଡିଆକୁ ପହଞ୍ଚାଇବା ପାଇଁ ଏଥର ମୋ’ କଟକ ବାଲିଯାତ୍ରା ରିକ୍ସା ପ୍ରସ୍ତୁତ କରାଯାଉଥିବା ବେଳେ ୟୁଟୁବ୍ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ପ୍ରମୋସନ ନିଆଯାଉଛି ପଦକ୍ଷେପ । ପ୍ରଥମ ଥର ପାଇଁ ପୃଷ୍ଠପୋଷକ ବ୍ୟବସ୍ଥା କରି ପ୍ରଶାସନ ଐତିହାସିକ ବାଲିଯାତ୍ରାରେ ଚମକ ଆଣିବାର ଯୋଜନା କରିଛି ।
ଏଥର ବାଲିଯାତ୍ରାରେ ଜଳକ୍ରୀଡାକୁ ଅଧିକ ପ୍ରୋତ୍ସାହିତ କରିବାକୁ ଅନେକ ଯୋଜନା ହାତକୁ ନେଇଛି ପ୍ରଶାସନ । କିନ୍ତୁ ସବୁଠୁ ଆକର୍ଷଣୀୟ ବ୍ୟବସ୍ଥା ସ୍ୱରୂପ ପ୍ରଥମଥର ପାଇଁ ମହାନଦୀ ଭିତରେ କରାଯିବ ଷ୍ଟେଜ୍ । ଯେଉଁଠି ପ୍ରଦର୍ଶନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଡଙ୍ଗାକୁ ଡଙ୍ଗା ଯୋଡ଼ା ଯାଇ ନିର୍ମାଣ କରାଯିବ ଷ୍ଟେଜ୍ । ସେହି ଷ୍ଟେଜ୍ବି ଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ବାଲିଯାତ୍ରା ଦେଖା ସହ ସେଠାରେ ବୋଟିଂର ମଜା ନେବେ ପର୍ଯ୍ୟଟକ । ତେବେ କେଉଁ ସମୟରେ କଣ କଣ କାର୍ଯ୍ୟକ୍ରମ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ସମୟ ଚୂଡାନ୍ତ ହୋଇପାରିନି । ଖୁବ୍ଶୀଘ୍ର ଏହାର ଚୁଡାନ୍ତ ସମୟ ସାରଣୀ ସାଧାରଣ ଲୋକଙ୍କ ଅବଗତି ପାଇଁ ପ୍ରକାଶ କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।