କଣ୍ଡକ୍ଟରଙ୍କୁ ଆକ୍ରମଣ ପ୍ରତିବାଦରେ ବସ୍‌ ଚଳାଚଳ ବନ୍ଦ

ଉଦଳା,(ରାଜୀବ କୁମାର ବେହେରା): ଉଦଳାରୁ ରବିବାରଠାରୁ କୌଣସି ଘରୋଇ ବସ୍‌ ଚଳାଚଳ କରିବ ନାହିଁ। ବସ୍‌ କଣ୍ଡକ୍ଟର ରବୀନ୍ଦ୍ର ପରିଛାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଉଦଳା ମୋଟର କର୍ମଚାରୀ ସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି। ଉଦଳା ବସ୍‌ ମାଲିକ ସଂଘ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଗତକାଲି ଭୁବନେଶ୍ୱରରୁ ଉଦଳା ଆସୁଥିବା ‘ରାଜବାବୁ’ ନାମକ ବସ୍‌ର କଣ୍ଡକ୍ଟର ରବୀନ୍ଦ୍ର ପରିଛାଙ୍କୁ ଉଦଳା ବସ୍‌ଷ୍ଟାଣ୍ଡରେ କିଛି ବ୍ୟକ୍ତି ଲୁହା ଛଡ଼ ଓ ପ୍ଲାଷ୍ଟିକ ପାଇପ୍‌ରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ମୋଟର କର୍ମଚାରୀ ସଂଘ ଓ ବସ୍‌ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କ ଗିରଫ ନହେବା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସଂଘ ସ୍ପଷ୍ଟ କରିଛି। ଘଟଣାସ୍ଥଳ ଉଦଳା ଥାନାଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ