କନିଷ୍ଠ କିରାଣୀଙ୍କ ମନମୁଖୀ କାର୍ଯ୍ୟ କଲାଣି ଅତିଷ୍ଟ ଶିକ୍ଷକଙ୍କୁ ମିଳୁନି ନିୟମିତ ଦରମା
କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ୍):ବିଭିନ୍ନ ସମୟରେ ଗଣଶିକ୍ଷା ବିଭାଗର ଦୁର୍ନୀତି କଥା ସାମ୍ନାକୁ ଆସୁଛି I କେତେବେଳେ ପିଲାଙ୍କୁ ନିୟମିତ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ ତ କେତେବେଳେ ଶିକ୍ଷକ ମାନଙ୍କ ଆକ୍ରୋଶର ଶିକାର ନିରୀହ ଛାତ୍ରୀ ଛାତ୍ର ମାନେ ହେଉଛନ୍ତି I ଏହି ଘଟଣା ବର୍ତ୍ତମାନ କୁକୁଡାଖଣ୍ଡି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟମିତ ଘଟଣା ପାଲଟି ଗଲାଣି I ଶିକ୍ଷକମାନଙ୍କ ଅଭିଯୋଗ ମୁତାବକ ବ୍ଲକର ପ୍ରାୟ 400ରୁ ଅଧିକ ନୂତନ ପେନସନ ଭୁକ୍ତ ଶିକ୍ଷକ ମାନଙ୍କର ଚଳିତ ବର୍ଷ ଜାନୁଆରୀ ମାସର ଦରମା ମିଳିନାହିଁ I ଏ ବାବଦରେ ଅଭିଯୋଗ କାଳେ କାର୍ଯ୍ୟାଳୟ କେବଳ ସମୟ ଦେବା ଛଡା ସମାଧାନର ପନ୍ଥା ବାହାର କରୁନାହିଁ I ଏ ବାବଦରେ ନୂତନ ପେନସନ ଭୁକ୍ତ ଶିକ୍ଷକ ସଙ୍ଘ ସଭାପତି ସିମାଞ୍ଚଳ ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକ ମାନେ ବ୍ଲକ ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟ ଘେରାଉ କରିବା ପରେ ବ୍ଲକ ଶିକ୍ଷାଧିକାରି ଏସ.ଗିରିଧର ଚଳିତ ମାସ ୭ତାରିଖରେ ସମସ୍ତଙ୍କୁ ଜାନୁଆରୀ ମାସର ପ୍ରାପ୍ୟ ମିଳିଯିବ ବୋଲି କହିଥିଲେ I କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ I ଅନ୍ୟପକ୍ଷରେ ସୁକୁଣ୍ଡI ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପଦ୍ମIବତି ସାହୁଙ୍କ ଗତବର୍ଷର ତିନି ମାସର ଦରମା ଆଦ୍ୟାବଧି ମିଳିନଥିବାବେଳେ ବାଘଝରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସରସ୍ବତୀ ଆଚାରି ବିଗତବର୍ଷ ଅଗଷ୍ଟ 2ତାରିଖରୁ ଡ଼ିସେମ୍ବର 18ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ କାରଣରୁ ଛୁଟିରେ ଥିଲେ କିନ୍ତୁ ନିୟମକୁ ଖୁଲମ ଖୁଲା ଉଲଙ୍ଘନ କରି କେବଳ ଅଗଷ୍ଟ ମାସର ଦରମା ମଞ୍ଜୁରୀ କରିଥିବାବେଳେ ଅନ୍ୟମାସ ଗୁଡିକର ଦରମା ଅଦ୍ୟାବଧି ମିଳିନାହିଁ,ଏପରି ବହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାତୃ କାଳୀନ ଛୁଟି ସାଙ୍ଗକୁ ଅନ୍ୟାନ୍ୟ ଛୁଟି ଗୁଡିକର ଦରମା ମଞ୍ଜୁରୀ ହୋଇନଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି I କାର୍ଯ୍ୟାଳୟର କନିଷ୍ଠ କିରାଣୀ ଭିକାରି ସାହୁଙ୍କ ମନମୁଖୀ କାର୍ଯ୍ୟ କାରଣରୁ ଏହି ଅବସ୍ଥା ହୋଇଥିବା କଥା ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି I ଏପରିକି ଓଡିଶା ସରକାରଙ୍କ ଅର୍ଥବିଭାଗ ପତ୍ର ସଂଖ୍ୟା ୩୭୪୭୮/୦୧.୧୨.୨୦୧୮ ଓ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦେଶଓଳୟ ପତ୍ର ସଂଖ୍ୟା ୪୫/୦୨.୦୧.୨୦୧୯ ଅନୁଯାଇ ମହିଳା କର୍ମଚାରୀ ତଥା ଶିକ୍ଷୟିତ୍ରୀ ମାନଙ୍କ ମାତୃତ୍ୱ ଛୁଟି ନେବା ପାଈଁ ଦରଖାସ୍ତ ଆବେଦନ କଲେ ତାଙ୍କର ଛୁଟି ମଞ୍ଜୁରୀ କରିବା ସହ ମାସକୁ ମାସ ଦରମା ପ୍ରଦାନ କରିବା ନିୟମ ରହିଛି I କିନ୍ତୁ ସରକାରୀ ନିୟମକୁ ଖୁଲମ ଖୁଲା କନିଷ୍ଠ କିରାଣୀ ଅବମାନନା କରୁଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସଙ୍ଘ I ଯଦି ଆଗାମୀ ଦିନରେ ଏହିପରି ଅବ୍ୟବସ୍ଥା ଲାଗିରହେ ତାହାଲେ ଜିଲ୍ଲା ଶିକ୍ଷାଧିକାରି ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଯଦି ସୁଫଳ ନମିଳେ ତାହାଲେ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ମନେ I ଏ ବାବଦରେ ମୁ କୌଣସି ମନ୍ତବ୍ୟ ଦେଇପାରିବି ନାହିଁ ବୋଲି କୁକୁଡାଖଣ୍ଡି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଭିକାରି ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିବାବେଳେ ନିଜ ଦୋଷଦୁର୍ବଳତା କୁ ଲୁଚାଇ ରଖିବାକୁ ଚେଷ୍ଟା କରିଛନ୍ତି I


