କନ୍ଦଳେଇ ଆଦିବାସୀ ପଲ୍ଲୀରେ ଭୋଟ ସଚେତନତା ଅଭିଯାନ
ଭୁବନେଶ୍ୱର(ଯୁଗାଦ୍ଧ ନିଜ୍ୟୁ) ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବ । ଯୋଗ୍ୟ ଓ ଭଲ
ପ୍ରାର୍ଥୀ ଦେଖି ଭୋଟ ଦେବ । ଭୋଟଦାନ ପାଇଁ ମଦ, ମାଂସ, ଟଙ୍କା ଓ ପଇସାର ପ୍ରଲୋଭନରେ ପଡିବ
ନାହିଁ ଓ ଅନ୍ଧାରୀ ବିଜେ ରେ ଆସୁଥିବା ଦଳୀୟ ନେତା, କର୍ମୀ ଓ ପ୍ରାର୍ଥୀଙ୍କ ପାଲରେ ପଡ଼ିବନି ବୋଲି
କନ୍ଦଳେଇ ଆଦିବାସୀ ପଲ୍ଲୀରେ ଆୟୋଜିତ ଏକ ସଚେତନତା ସଭାରେ ଗ୍ରାମବାସୀଙ୍କୁ ପରାମର୍ଶ
ଦିଆଯାଇଛି । ନୂଆଦିଲ୍ଲୀର ଅଗ୍ରଣୀ ସାମାଜିକ ସଂଗଠନ ‘ଆଶ୍ରା’ ପକ୍ଷରୁ ଭୁବନେଶ୍ୱରଠାରୁ ୨୫ କି.ମି.
ଦୂର ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟୀ ପାଦଦେଶରେ ଛତାବର ପଞ୍ଚାୟତ ସଂଲଗ୍ନ କନ୍ଦଳେଇ
ଗାଁରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ‘ପାୱାର ଇଜ୍ ଇନ୍ ଇୟୋର ଫିଙ୍ଗର’ ଆୟୋଜିତ
ହୋଇଥିଲା । ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ
କୁମାର ରାଉତ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପ୍ରମୁଖ ଏଥିରେ
ଯୋଗଦାନ କରି ନିଜର ଅମୂଲ୍ୟ ମତଦାନ ଶୃଙ୍ଖଳା ଓ ନିଷ୍ଠାର ସହିତ ଯୋଗ୍ୟତମ ପ୍ରାର୍ଥୀଙ୍କୁ ଦେବାକୁ
ନିବେଦନ କରିଥିଲେ । ବହୁ ସଂଖ୍ୟକ ଗ୍ରାମବାସୀ ଏଥିରେ ଯୋଗଦାନ କରିବା ସହ ଲାଞ୍ଚ ଓ ପ୍ରଲୋଭନର
ବଶବର୍ତ୍ତୀ ନ ହେବାକୁ ସଂକଳ୍ପ ଦୋହରାଇଥିଲେ ।


