କପା ଗଛରେ ଅଜଣା ରୋଗ,ଚାଷୀଙ୍କୁ ଚିନ୍ତା ବଢାଇଛି
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଜନାପଲ୍ଲୀ କପା ଚାଷୀଙ୍କ ଚିନ୍ତା ବଢାଇଛି | କପା ଫସଲରେ ରୋଗ ଏପରି ଅବସ୍ଥା ହୋଇଛି ଯେ ଗଛ ରୋଗାକ୍ରାନ୍ତ ହୋଇ ସଂପୂର୍ଣ୍ଣ ଶୁଖି ଗଛ ମରିଯାଉଛି । କପା ଫସଲରେ ବର୍ତ୍ତମାନ ଫୁଲ ଓ ଫଳ ଆସିବା ସମୟ । ଏହି ସମୟରେ ଏହି ଅବସ୍ଥାରେ କେଉଁ ଔଷଧ ସିଞ୍ଚନ କରିବେ ଜାଣି ପାରୁ ନଥିବା ବେଳେ କୃଷି ବିଭାଗ କର୍ମଚାରୀ କିମ୍ବା ଅଧିକାରୀ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ରାଜନାପଲ୍ଲୀ ଗାଁରେ ପାଖା ପାଖି ଷାଠିଏ ଜଣ ଚାଷୀ କପା ଚାଷ କରିଛନ୍ତି । ଧଳା ସୁନା ରୂପେ ପରିଚିତ କପା ଚାଷ କରି ଲାଭବାନ ହେବା ପାଇଁ ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି | କିନ୍ତୁ ବିଭାଗୀୟ କର୍ମଚାରୀ ଚାଷୀଙ୍କୁ ଅବହେଳା କରୁଛନ୍ତି ବୋଲି କହିଛନ୍ତି ଚାଷୀ । କୃଷି ବିଭାଗ ତୁରନ୍ତ ପଦକ୍ଷେପ ନ’ ନେଲେ ବହୁତ ପରିମାଣରେ କପା ଚାଷୀ କ୍ଷତି ସହିବେ ବୋଲି କହିଛନ୍ତି କପା ଚାଷୀ । ଅପରପକ୍ଷରେ କପା ଫସଲରେ ବର୍ତ୍ତମାନ ରୋଗ ଓ ପୋକ ଲାଗିବା ସମୟ ତେଣୁ ଚାଷୀ ଫସଲରେ ଔଷଧ ସିଞ୍ଚନ କରିବାକୁ ପଡିବ ତେଣୁ କୃଷି ଅଧିକାରୀ କିମ୍ବା ଗ୍ରାମସେବକ ଓ କୃଷକ ସାଥୀଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ଲକ କୃଷି ବିଭାଗ ସହକାରୀ ଅଧିକାରୀ ବିଶ୍ୱ ରଞ୍ଜନ ରାଉତ ପରାମର୍ଶ ଦେଇଛନ୍ତି |


