କମଳେଶ ତିୱାରୀ ହତ୍ୟା ମାମଲା
ନୂଆଦିଲ୍ଲୀ: ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ୍ ସମେତ ୫ ଜଣ ଗିରଫ ହୋଇଛନ୍ତି । ଉତ୍ତରପ୍ରଦେଶ ଡିଜିପି ଓପି ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ତିୱାରୀ ହତ୍ୟା ମାମଲାରେ ଗୁଜରାଟ ଏଟିଏସ୍ ଦ୍ୱାରା ସୁରଟରେ ୩ ଜଣ ଗିରଫ ହୋଇଛନ୍ତି ଏବଂ ଉତ୍ତରପ୍ରଦେଶ ପୁଲିସ ବିଜନୋରରେ ୨ ଜଣ ମୌଲାନାଙ୍କୁ ଗିରଫ କରିଛି । ଉତ୍ତରପ୍ରବେଶ ଏବଂ ଗୁଜରାଟ ପୁଲିସର ମିଳିତ ଅପରେସନରେ ଏହି ସଫଳତା ମିଳିଛି । କମଳେଶ ତିୱାରୀଙ୍କ ପତ୍ନୀଙ୍କ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆରରେ ୨ ଜଣ ମୌଲାନାଙ୍କ ନାମ ରହିଥିଲା । ଅନ୍ୟପକ୍ଷେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି । ଗୁଜରାଟ ଏଟିଏସ୍ ଦ୍ୱାରା ଗିରଫ ହୋଇଥିବା ସମସ୍ତ ୩ ଜଣ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି । ଡିଜିପି ସିଂହ କହିଛନ୍ତି, ହତ୍ୟାକାଣ୍ଡରେ କୌଣସି ଆତଙ୍କବାଦୀ ସଂଗଠନ ସମ୍ପୃକ୍ତ ନାହାନ୍ତି । ୨୦୧୫ ମସିହାରେ କମଳେଶ ତିୱାରୀ ମହାପୁରୁଷ ମହମ୍ମଦଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ବିଜନୋରରେ ଗିରଫ ହୋଇଥିବା ଜଣେ ମୁସଲିମ ମୌଲାନା ୨୦୧୬ରେ ତିୱାରୀଙ୍କ ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କୁ ହତ୍ୟାକଲେ ୫୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ । ଜରାଟ ଏଟିଏସ୍ ଦ୍ୱାରା ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଉଛନ୍ତି ମୌଲାନା ମୋହସିନ୍ ଶେଖ୍, ରସିଦ୍ ଅହମଦ ପଠାନ ଏବଂ ଫୈଜାନ୍ । ପୁଲିସ ବିଶ୍ୱାସ କରୁଛି ଯେ ରସିଦ ହେଉଛି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ । ଅନ୍ୟପକ୍ଷେ ଫୈଜାନ୍ ବନ୍ଧୁକ ଲୁଚାଇବା ପାଇଁ ମିଠା ପ୍ୟାକେଟ୍ କିଣି ଆଣିଥିଲା । ଦିପାବଳୀ ପାଇଁ ମିଠା ଦେବା ବାହାନାରେ ସେମାନେ ଯାଇ କମଳେଶ ତିୱାରୀଙ୍କୁ ହତ୍ୟା କରିଥିଲେ । ମିଠା ପ୍ୟାକେଟରେ ଥିବା ଠିକଣାରେ ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରି ଅପରାଧୀଙ୍କ ସୁରାକ୍ ପାଇଥିଲା । ସୁରଟରୁ ଗିରଫ ୩ ଅଭିଯୁକ୍ତଙ୍କୁ ଲକ୍ଷେ୍ନ ପୁଲିସ ମଧ୍ୟ ଜେରା କରୁଛି ।


