କମ୍ପ୍ରେସର ଟ୍ରାକ୍ଟର ଧକ୍କାରେ ସାଇକେଲ ଆରୋହୀ ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବୁଧବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ୩୬ ନଂ ରାଜ୍ୟ ରାଜପଥ ହିଞ୍ଜିଳି କାଳୀ ମନ୍ଦିର ଛକ ନିକଟରେ ଏକ ନମ୍ବର ବିହୀନ କମ୍ପ୍ରେସର ଟ୍ରାକ୍ଟର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖରିଡା ଗ୍ରାମର ବନମାଳି ବେହେରା (୬୫) । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଦୂର୍ଘଟଣା ଘଟାଇ ଥିବା ନମ୍ବର ବିହୀନ କମ୍ପ୍ରେସର ଟ୍ରାକ୍ଟରକୁ ଜବତ କରିଛି । ପ୍ରକାଶ ଯେ, ବୁଧବାର ଅପରାହ୍ନ ପ୍ରାୟ ସାଢେ ୨ଟାରେ ସାଇକେଲ ଆରୋହୀ ଜଣଙ୍କ ଗ୍ରାମରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ନମ୍ବର ବିହୀନ କମ୍ପ୍ରେସର ଟ୍ରାକ୍ଟର ଦୃତ ଗତିରେ ଆସି ସାଇକେଲ ପଛପଟକୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଳିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଦୂର୍ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ପ୍ରକାଶ ଥାଉକି, ସ୍ଥାନୀୟ ଅଞ୍ଚଳରେ ପ୍ରାୟତଃ ଅଧିକାଂଶ ଟ୍ରାକ୍ଟରରେ ପଞ୍ଜିକୃତ ନମ୍ବର ନଥାଇ ଚୋରା ବାଲି, ମାଟି, ପଥର, ମୋରମ ଚୋରା ଚାଲାଣ କରି ଦୃତ ଗତିରେ ଯାତାୟତ କରୁଥିବା ନିତିଦିନିଆ ଘଟଣା ପାଲଟିଛି । ଫଳରେ ବେପାରୁଆ ଓ ଦୃତ ଗାଡି ଚାଳନା ସହ ଟ୍ରାଫିକ ନିୟମ ଉଲଂଘନ କରି ଅନାୟସରେ ଦୂର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହେଉଥିବା ଜଣାପଡିଛି । ଏପରିକି ବହୁ ଟ୍ରାକ୍ଟର ଚାଳକଙ୍କ ଡ୍ରାଇଂଭି ଲାଇସେନ୍ସ ନଥାଇ ଗାଡି ଚାଳନା କରୁଥିବା ଅଭିଯୋଗ ହୋଇଛି । ଏ ଦିଗରେ ପରିବହନ ବିଭାଗ ଓ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ