କରୋନା ନିରାକରଣ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର: କରୋନା ନିରାକରଣ ପାଇଁ ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ସେ କହିଛନ୍ତି ଯେ, କରୋନା ମହାମାରୀ ବିରୋଧରେ ରାଜ୍ୟରେ ଚାଲିଥିବା ଲଢ଼େଇରେ ଆଗାମୀ ୪ରୁ ୬ ସପ୍ତାହ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ଏଇ ୪ରୁ ୬ ସପ୍ତାହ କାଳ ମଧ୍ୟରେ ରାଜ୍ୟବାସୀ ଯଦି ସତର୍କ ଓ ସଚେତନ ରହିବା ସହ ସଂଯମତା ବଜାୟ ରଖିବେ ତେବେ ନିଶ୍ଚିତ ରୂପେ ଜିତିବ ଓଡ଼ିଶା ଓ ହାରିବ କରୋନା । ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆଜି ଅପରାହ୍ଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଜୀବନ ସହ ଜୀବିକାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସରକାର ଲକ୍‌ଡାଉନ୍‌ ନିୟମକୁ କୋହଳ କରିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ତେବେ, ରାଜ୍ୟବାସୀ ଏହାକୁ ନେଇ ଭୟଭୀତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। କାରଣ, ରାଜ୍ୟ ସରକାର ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି। ଦେଶର ସର୍ବମାନ୍ୟ ସଂସ୍ଥା ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଅନୁଯାୟୀ ହିଁ ରାଜ୍ୟରେ କରୋନାର ପରୀକ୍ଷଣ ଚାଲିଛି। ପରୀକ୍ଷଣର ଆବଶ୍ୟକତା ରଖୁଥିବା ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କର ସରକାର କରୋନା ନମୁନାର ପରୀକ୍ଷା କରୁଛନ୍ତି। ତେଣୁ, ପରୀକ୍ଷଣ ପାଇଁ କେହି ବ୍ୟସ୍ତ, ବିବ୍ରତ ଓ ଉଦ୍‌ବିଗ୍ନ ହେବାର କୌଣସି କାରଣ ନାହିଁ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ଶ୍ରୀମତୀ ପଣ୍ଡିତ।
ଏଥିସହ କୌଣସି ବି କରୋନା ସଂକ୍ରମିତ ବ୍ୟକ୍ତି ପରୀକ୍ଷଣରୁ ଯେପରି ବଞ୍ଚିତ ନହୁଅନ୍ତୁ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଅର୍ଥାତ୍‌ ୧୬ ଜୁନ୍‌ ଠାରୁ ସମଗ୍ର ରାଜ୍ୟରେ ଏକ ଅଭିଯାନ ଆରମ୍ଭ ହେଉଛି। ଏହି ଅଭିଯାନ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ଆଉ ଏହି ଅଭିଯାନ କାଳରେ ସମସ୍ତ ଆଶା ଦିଦି ଓ ଏଏନ୍‌ଏମ୍‌ ଦିଦିମାନେ ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳ ସମେତ ପ୍ରତିଟି ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ପ୍ରତିଟି ବ୍ୟକ୍ତି ବିଶେଷଙ୍କର ସ୍ୱାସ୍ଥ୍ୟର ପରୀକ୍ଷା କରିବା ସହ ଯାହା ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବେ ତେବେ ସଙ୍ଗେ ସଙ୍ଗେ ତାଙ୍କର ପରୀକ୍ଷା କରାଇବେ ବୋଲି ଏହି ଅବସରରେ ସୂଚନା ଦେଇଛନ୍ତି ଶ୍ରୀମତୀ ପଣ୍ଡିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ