କରୋନା ଅନାଥ ପିଲାଙ୍କ ପାଇଁ ନବୀନ ସରକାରଙ୍କ ଉପହାସ : କଂଗ୍ରେସ
ଭୁବନେଶ୍ୱର, (ୱାଇଏନ୍ଏସ୍): ଆଶୀର୍ବାଦ ଯୋଜନା ବନ୍ଦ ହେବା ମାମଲାକୁ ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦିଅନ୍ତି ତାହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଉର୍ଦ୍ଦିଷ୍ଟ । ୨୦୨୦ ମସିହା ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ ଶିଶୁମାନେ ନିଜର ପିତାମାତା ବା ସେମାନଙ୍କ ମଧ୍ୟରୁ ଜଣେ ବା ପରିବାରର ମୁଖ୍ୟ ରୋଜଗାର ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଯୋଜନା ଘୋଷଣା କରିବାର ୨ ମାସ ୨୪ ଦିନରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି । ସେପ୍ଟେମ୍ବର ୧୫ ତାରିଖରୁ ଏହି ଯୋଜନାଟି ହଠାତ ବନ୍ଦ ହୋଇଗଲା କ’ଣ ପାଇଁ? ବୋଲି ସେ ପ୍ରଶ୍ନ କରିଛନ୍ତି । ଏପର୍ଯ୍ୟନ୍ତ ୩୧ ହଜାର ପିଲା ଅଭିଭାବକ ମାନଙ୍କୁ ହରାଇଥିବା ସ୍ଥଳେ ମାତ୍ର ୧୦ ହଜାର ପିଲାଙ୍କୁ ଏହି ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି । ଏବେ ସରକାର କହୁଛନ୍ତି ଆର୍ଥିକ ସଂକଟ ପାଇ ଏ ନିଷ୍ପତି ନେବାକୁ ପଡ଼ୁଛି । ରାଜ୍ୟ ସରକାର ଯଦି ଏତେ ଦୁର୍ବଳ ଏ ସବୁ ଯୋଜନା କରୁଛନ୍ତି କାହିଁକି? ଲୋକଙ୍କୁ ଠକୁଛନ୍ତି କାହିଁକି? କାଳିଆ ଯୋଜନାରେ ପ୍ରତିଶ୍ରୁତି ଦେଲେ ୧୦ ହଜାର ଟଙ୍କା ଦେବା ପାଇଁ ହେଲେ ଏବେ ଦେଉଛନ୍ତି ମାତ୍ର ୨୦୦୦ ଟଙ୍କା ! ବିଜୁ ଯୁବବାହିନୀ ଗଠନ କଲେ, ରାଜକୋଷରୁ ଅର୍ଥ ନଷ୍ଟହେଲା ଏବଂ ପରବର୍ତୀ ସମୟରେ ସେ ଯୋଜନା ମଧ୍ୟ ବନ୍ଦ ହେଲା । ଭୁବନେଶ୍ୱରରେ ମୋ ସାଇକେଲ ଯୋଜନା କଲେ, ସାଇକେଲ ସବୁ କବାଡ଼ିଆଙ୍କୁ ବିକ୍ରି ହେଲା । ଯଦି ଅର୍ଥ ନାହିଁ ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୦ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବାପାଇଁ ଯେଉଁ ବାହାସ୍ପୋଟ ମାରିଛନ୍ତି ତାହା ସମ୍ଭବ କରିପାରିବେ ତ? ମୁଖ୍ୟମନ୍ତ୍ରୀଙ୍କର କଥା ଆଉ କାର୍ଯ୍ୟରେ ଆକାଶ ପାତାଳ ତଫାତ ବୋଲି ତାହା ସ୍ପଷ୍ଟ ହୋଇପଡ଼ିଛି । ଆଶୀର୍ବାଦ ଯୋଜନାକୁ ନେଇ ଏ ରାଜ୍ୟର କରୋନା ଅନାଥପିଲାଙ୍କର ଭବିଷ୍ୟତ ସୁରକ୍ଷିତ ହେବ ବୋଲି ସମସ୍ତେ ଭାବିିଥିଲେ ମାତ୍ର, ମୁଖ୍ୟମନ୍ତ୍ରୀ ସବୁ ଓଲଟପାଲଟ କରିଦେଲେ । କରୋନା ସରିନି, ତୃତୀୟ ଲହର କରୋନା ମାଡ଼ି ଆସୁଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଯୋଜନା ବନ୍ଦ ହୋଇଗଲା । ପ୍ରତିଶ୍ରୁତି ଦେଇ ଏପରି ବିଶ୍ୱାସଘାତକତାକୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତିର ପୁନଃବିଚାର କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।


