କରୋନା ନିୟନ୍ତ୍ରଣ ପାଇଁ ବ୍ୟବସାୟୀଙ୍କୁ ସଚେତନ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ସମ୍ମିଳନୀ ଗୃହ ଠାରେ ଜିଲା ପ୍ରଶାସନ ପକ୍ଷରୁ କରୋନା ଭାଇରସକୁ ନିୟନ୍ତ୍ରଣ କରିବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲାପାଳ ଅନୁପନ ସାହା ଅଧ୍ୟକ୍ଷତା କରି କରୋନା ଭାଇରସ ଏକ ଏପରି ମହାମାରୀ ଯାହାକି ନିୟନ୍ତ୍ରଣକୁ ଆଣବାପାଇଁ ମାସ ମାସ ଧରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟତଃ ପାରଳାଖେମୁଣ୍ଡିରେ ରହିଥିବା ଦୈନିକ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ଗୁଡାଏ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି । ସେଠାକୁ ଲୋକମାନେ ଦୈନନ୍ଦିନ ନିଜର ସାମଗ୍ରୀ କିଣିବାପାଇଁ ଯାଇଥାନ୍ତି । ମାତ୍ର ଏହି ବ୍ୟବସାୟ ପ୍ରତିଷ୍ଠାନରେ ଯେପରି ଅତ୍ୟାଧିକ ଭିଡ ସୃଷ୍ଟି ନହେବ ଏବଂ ଲୋକଙ୍କ ମଧ୍ୟରେ ବ୍ୟବଧାନ ରହୁଥିବ ସେଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି ସଚେତନ କରାଯାଇଥିଲା । ସେହିପରି ବିଭିନ୍ନ ବଡ ଦୋକାନରେ ମଧ୍ୟ ଅଧିକା ସଂଖ୍ୟକ ଗ୍ରାହକ ରହି ସେଠାରେ ଗହଳି ନଜମେ ସେଥି ପ୍ରତି ବ୍ୟବସାୟୀ ମାନେ ଦୃଷ୍ଟିଦେବା ଆବଶ୍ୟକ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କୁ ବାରମ୍ବାର ହାତ ସଫାକରିବାପାଇଁ ପରାମର୍ଶ ଦେବା ପାଇଁ କୁହାଯାଇଥିଲା । ସେହିପରି ଖାଦ୍ୟ ସାମଗ୍ରୀ ବିକ୍ରୀ କରିବାବେଳେ ଅଧିକା ସଚେତନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ପରିଚାଳକ ଓ ପ୍ରତିନିଧି ମାନେ ଯୋଗ ଦେଇଥିବାବେଳେ ସେମାନେ ମଧ୍ୟ ନିଜ ନିଜ ଶାଖାରେ ଗ୍ରାହକ ମାନଙ୍କର ଭିଡକୁ କିପରି କମାଇପାରିବେ ଏବଂ ଗ୍ରାହକ ମାନଙ୍କ ମଧ୍ୟରେ ବ୍ୟବଧାନ ବା ଦୂରତା ବଜାୟ ରହିବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲାପାଳ ଜ୍ଞାନରଂଜନ ଭଂଜଦେବ, ସମ୍ମନୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହାରା ପ୍ରମୁଖଙ୍କ ସହ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକ, ବଣିକ ସଂଘର କର୍ମକର୍ତ୍ତା, ବ୍ୟାଙ୍କ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ।


