କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ନୂତନ ତଥ୍ୟ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ନିଜର ବିଷର ଜ୍ୱାଳା ବିଛାଇ ସାରିଥିବା କରୋନା ଭୂତାଣୁର ସଂକ୍ରମଣ ସମ୍ପର୍କିତ ଏକ ନୂତନ ତଥ୍ୟ ଏବେ ଚିକିତ୍ସା ବିଜ୍ଞାନୀମାନଙ୍କୁ ଅଧିକ ଚିନ୍ତାରେ ପକାଇଛି । ଏହି ଭୂତାଣୁ ଠାରେ ଦେଖାଦେଉଥିବା ଏକ ନୂତନ ପ୍ରକାର ଗୋଜ ରୂପାନ୍ତର ବା ସ୍ପାଇକ ମ୍ୟୁଟେସନ ହିଁ ଏହାକୁ ଅଧିକ ସଂକ୍ରମଣକ୍ଷମ କରିବ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି । ଭାରତରେ ଦେଖାଦେଇଥିବା ବିଭିନ୍ନ ପ୍ରକାରର କରୋନା ଭୂତାଣୁମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତ ହିଁ ଏପରି ଗୋଜ ରୂପାନ୍ତର କରିଥାନ୍ତି ବୋଲି ଜଣାଯାଇଛି । ସୁତରାଂ ଆମ ଦେଶରେ ଏହି ମହାମାରୀର ସଂକ୍ରମଣ ରୂପ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି । ଆମେରିକାର ଲସ ଆଲାମସ ବିଜ୍ଞାନଗାର ଦ୍ୱାରା କରାଯାଇଥିବା ଗବେଷଣାରୁ ଏପରି ସତର୍କତାମୂଳକ ନିର୍ଯାସ ମିଳିପାରିଛି । ସେହି ଅନୁଧ୍ୟାନକାରୀମାନଙ୍କ ମଧ୍ୟରେ ଭାରତୀୟ ଗବେଷଣା ସଂସ୍ଥା ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ଗବେଷକ ଡା.ତନ୍ମୟ ଭଟ୍ଟଚାର୍ଯ୍ୟ ମଧ୍ୟ ସାମିଲ ଥିଲେ । ଏହି କରୋନା ଭୂତାଣୁର ଗୋଜ ରୂପାନ୍ତର ବୁଝିବା ଆଗରୁ ଏହାର ଶରୀର ସମ୍ପର୍କରେ ସାମାନ୍ୟ ଧାରଣା ହେବା ଦରକାର । ଏହି ଭୂତାଣୁର ବାହ୍ୟ ଭାଗ ଏକ ବହଳ ଗୋଲାକାର ଝିଲ୍ଲୀ ଦ୍ୱାରା ପରିବେଷ୍ଟିତ, ଯାହା ଉପରେ ଅସଂଖ୍ୟ ପ୍ରୋଟିନରେ ତିଆରି କୀଳା ବା ଗୋଜ ଭଳି ଉପାଦାନ ବାହାରକୁ ବାହାରିଥାଏ । ଅପରପକ୍ଷେ, ମନୁଷ୍ୟ ଜୀବକୋଷର ଉପରିଭାଗରେ । ଏସିଇ-୨ ନାମକ ପ୍ରୋଟିନର କିଣ୍ୱକ ବା ଏଞ୍ଜାଇମ ରହିଥାଏ ଯାହା କି ପ୍ରାପକ ବା ରିସିପ୍ଟର ହିସାବରେ କରୋନା ଭୂତାଣୁକୁ ଆକ୍ରମଣ କରିବାରେ ସହାୟକ ହୋଇଥାଏ । କରୋନା ଭୂତାଣୁର ଏହି ପ୍ରୋଟିନ କୀଳାଗୁଡ଼ିକ ଉକ୍ତ କିଣ୍ୱନ ସହ ବାନ୍ଧି ହୋଇ ମନୁଷ୍ୟ ଜୀବକୋଷ ଭିତରକୁ ପଶି ଆରଏନଏ ନାମକ ନିଜର ଜୈବିକ ଉପାଦାନକୁ ଛାଡ଼ି ଦେଇଥାଏ । ସେଠାରେ ମନୁଷ୍ୟ ଜୀବକୋଷର ଆଣବିକ ତନ୍ତ୍ର (ମଲିକ୍ୟୁଲାର ମେକାନିଜମ) କୁ ପାଥେୟ କରି ଏହି ଭୂତାଣୁ ନିଜକୁ ବହୁଗୁଣିତ କରିଚାଲେ । ତେବେ ଏହି ଭୂତାଣୁର ଗୋଜରେ ହେଉଥିବା ରୂପାନ୍ତର ପ୍ରକ୍ରିୟା ହିଁ ଗବେଷକମାନଙ୍କୁ ବିବ୍ରତ କରିଛି । ଡି୬୧୪ଜି ନାମକ ଏକ ବିଶେଷ ଧରଣର ଗୋଜ ରୂପାନ୍ତର ଉକ୍ତ ଭୂତାଣୁର ସଂକ୍ରମଣ କ୍ଷମତାକୁ ଅଧିକ ବଢ଼ାଇଥାଏ ବୋଲି ଡ.ଭଟ୍ଟାଚାର୍ଯ୍ୟ କହିଛନ୍ତି ।