କରୋନା ମୁକାବିଲା ପାଇଁ ଖୋଲିଲା ଆଇସୋଲେଟେଡ କେନ୍ଦ୍ର
ହାଟଡ଼ିହି : କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ପ୍ରତି ପଞ୍ଚାୟତରେ ଖୋଲାଯାଇଥିବା ଆଇସୋଲେଟେଡ କେନ୍ଦ୍ରରେ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ହାଟଡିହି ବ୍ଲକର ୩୧ଟି ପଞ୍ଚାୟତରେ ଏହିପରି ବ୍ୟବସ୍ଥାମାନ କରାଯାଇଛି । କେଉଁଠି ସ୍କୁଲ ଗୃହ ତ ଆଉ କେଉଁଠି ବାତ୍ୟା ଆଶ୍ରୟସ୍ଥଳୀରେ ଏପରି ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରକୁ ସରସ୍ୱତୀ ସେଲସ ଜଗନ୍ନାଥପୁର ତରଫରୁ ପ୍ରଥମ ପର୍ଯ୍ୟୟରେ ୧୫ରୁ ୨୦ ବେଡ, ବେଡସିଡ, ତକିଆ, ଯୋଗାଇ ଦିଆଯାଇଥିବାବେଳେ କେନ୍ଦ୍ରରେ ୨୪ଘଣ୍ଟିଆ ବିଦ୍ୟୁତ ସେବା, ପାନୀୟଜଳ, ଖାଦ୍ୟ ଓ ପରିମଳର ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ବିଡିଓ ଜୟଦେବ ଦାସ, ସହକାରୀଯନ୍ତ୍ରୀ ସୁଶାନ୍ତ ନାୟକ, ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ପିଇଓ ଜିତେନ୍ଦ୍ର ଜେନା, ସମାଜସେବୀ କଳ୍ପତରୁ ସେଠୀ, କାମପାଳ ନାୟକ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରର ତଦାରଖ କରିବା ସହିତ ଆଶ୍ରୟ ନେବାକୁ ଥିବା ଲୋକମାନେ ଯେପରି ଭଲରେ ରହିପାରିବେ ତାହାର ସବୁ ପ୍ରକାର ବ୍ୟବସ୍ଥାର ତଦାରଖ କରିଥିଲେ । କିନ୍ତୁ ଆଜି ସୁଧା ବ୍ଲକରେ ୩୧୮ ଜଣ ବ୍ୟକ୍ତି ରାଜ୍ୟ ବାହାରୁ ଆସିଥିବା ନାମ ପଞ୍ଜିକୃତ କରିଥିବାବେଳେ ଜଣେକି ହେଲେ ସଙ୍ଗରୋଧ ଗୃହକୁ ଆସି ନାହାନ୍ତି । ସେମାନଙ୍କୁ ସଙ୍ଗରୋଧ ଗୃହକୁ ଆଣିବାପାଇଁ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା ଚଳାଇଥିଲେବି ସେମାନେ ଘରେ ଓ ଗାଁରେ ଖୁଲାମଖୁଲ ବୁଲୁଛନ୍ତି । ଆଜି କେରଳରୁ ଗାଁକୁ ଆସିଥିବା ଆଇତିପୁର ପଞ୍ଚାୟତର ଜଣେ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହେବାରୁ ତାକୁ ଗାଁ ଲୋକେ ଡାକ୍ତରଖାନା ଯିବାକୁ ପରାମର୍ଶ ଦେବା ସହ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲେବି ସେ ଏହାକୁ ଗ୍ରହଣ ନକରିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । କରୋନା ଭୁତାଣୁ ସଂକ୍ରମଣ ଆଗକୁ ବ୍ୟାପକ ଆକାର ଧାରଣ କରିବାକୁ ବସିଥିବାବେଳେ ଏହିପରି ଲୋକମାନଙ୍କୁ କିଏ ବୁଝାଇ ସୁଝାଇ ଆଇସୋଲେଟେଡ କେନ୍ଦ୍ରରେ ରଖାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


