କରୋନା ଯୁଦ୍ଧରେ ମହିଳା ଯୋଦ୍ଧା, କୁହନ୍ତି ଆମେ ହେବା ଚମ୍ପିଆନ

ଯାଜପୁର (ଓ୍ବାଇଏନ୍ଏସ୍): କରୋନା ଭଳି ଏକ ଅଦୃଶ୍ୟ ଅଥଚ ଶକ୍ତିଶାଳୀ ଶତ୍ରୃ ବିରୋଧରେ ସମଗ୍ର ବିଶ୍ୱ ଯୁଦ୍ଧ ଡାକରା ଦେଇଛି । ଯିଏ ଯେମିତି ପ୍ରକାରେ ଏହି ଯୁଦ୍ଧରେ ସାମିଲ ହୋଇ ପାରୁପର୍ଯ୍ୟନ୍ତ ଲାଗିପଡି଼ଛନ୍ତି ସଫଳତା ପାଇଁ । ସେଥିରୁ ବାଦ ପଡି଼ନାହାଁନ୍ତି ଜିଲ୍ଲାର ମହିଳା ଅଧିକାରୀ, କର୍ମଚାରୀମାନେ । ପୁରାଣ କହେ ମହିଷାସୁରକୁ ବଧ କରିବା ପାଇଁ ମା’ ଦୁର୍ଗାଙ୍କର ଶରଣ ନେଇଥିଲେ ଦେବତାମାନେ । ସେମିତି ଏହି ନାରୀ ଅଧିକାରୀମାନେ ରୋଷେଇଶାଳ, ଘରକାମ, ପିଲା ଓ ପରିବାର କାମ ଛାଡି଼, କଲମ ବଦଳରେ ଲାଠିଧରି କରୋନା ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି । ଯଦି ଅନୁରୋଧ, ନିବେଦନ କଲେ ମଣିଷ ସୁଧୁରି ଯାଉଥାନ୍ତେ ତେବେ ଆମଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ନିବେଦନ ପରେ ଆଉ ଲାଠି ଦେଖିବାକୁ ପଡି଼ନଥାନ୍ତା । କିନ୍ତୁ କିଛି ଅମାନିଆ ଅନୁରୋଧ ବା ସଚେତନତାର ବାର୍ତାକୁ କଥାରେ ବୁଝନ୍ତିନି ତାଙ୍କୁ ଲାଠି ହିଁ ବୁଝାଏ । ବୁଝାଇ ଘରୁ ପଦାକୁ ଆସିବାକୁ ଦିଏନି । ଏମିତି ମହିଳା ଅଧିକାରୀମାନେ ରାସ୍ତାକୁ ଓହ୍ଲେଇଛନ୍ତି ଲାଠିଧରି । ଅଯଥା ଗାଡି଼ ଧରି ବୁଲିଲେ, ମାସ୍କ ନ ଲଗାଇଥିଲେ ସେମାନଙ୍କୁ ସାବାଡ଼ କରୁଛନ୍ତି ଏମାନେ । ଯାଜପୁରର ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି, ବିଂଝାରପୁର ବି.ଡି.ଓ. ମିନତୀ ଜଗଦବ ଓ ତହସିଲଦାର ଅସ୍ମିତା ଦାଶ, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା, ଧର୍ମଶାଳା ବି.ଡି.ଓ. ସ୍ମିତା ରଥ, କୋରେଇ ବି.ଡି.ଓ ସ୍ୱେତା ସ୍ମିଗ୍ଧା, ଟମକା ଥାନା ଆଇ.ଆଇ.ସି. ସଂଘମିତ୍ରା ନାୟକ, ଚଣ୍ଡିଖୋଲ ଟ୍ରାଫିକ ଇନିସ୍‌ପେକ୍ଟର ବିଜୟିନୀ ମଲ୍ଲ, ଇନିସ୍‌ପେକ୍ଟର ରୋଜାଲିନ୍ ଜେନା, ଲକ୍ଷ୍ମିପ୍ରିୟା ମୁଦୁଲି, ଦେଜାଲିନ୍ ଜେନା, ଭାଗ୍ୟଶ୍ରୀ ବେହେରା, କବିତା ନାୟକ, ହେମନ୍ତ ଦାସ, ସ୍ନେହଲତା ଗିରି, ପୁଷ୍ପଲତା ବେହେରା, କଳ୍ପଲତା ପ୍ରଧାନ, ମିନତୀ ବେହେରା, ଅନିତା ପ୍ରଧାନ, ଜିନିମା ସାମଲ, ରାଧିକା ବୁନ୍ଦା, ସଂଯୁକ୍ତା ପ୍ରଧାନ । ପ୍ରମୁଖ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ସକାଳଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏମାନଙ୍କର ସଂଘର୍ଷକୁ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଶଂସା କରିଛି ।
ଏମାନେ ରାତି ଦିନ ଖଟନ୍ତି । ସମାଜରେ ଶୃଙ୍ଖଳା ଓ କରୋନାରୁ ରକ୍ଷାପାଇଁ ଅମାନିଆଙ୍କୁ ସାବାଡ଼ କରନ୍ତି । ପ୍ରତ୍ୟେକଙ୍କର ଗୋଟିଏ ଲକ୍ଷ୍ୟ ଆମେ ଯେମିତି କରୋନାକୁ ହରେଇବା , କରୋନାକୁ ଦୂରେଇବା । ସେଥିପାଇଁ ଅଧିକ କଷ୍ଟ, ଅଧିକ ପରିଶ୍ରମ ଗ୍ରହଣୀୟ । ଏମାନେ ନାରୀ…ମା’ଟିଏ । ଆଉ ପ୍ରତିଟି ମାଆ ଚାହେଁ ତା ପିଲା ସୁସ୍ଥ ରହୁ, ସୁରକ୍ଷିତ ରହୁ । ସେଥିପାଇଁ ସେମାନେ ସମସ୍ତେ କୁହନ୍ତି ଏ ଯୁଦ୍ଧରେ ଆମେ ହେବୁରେ ଚମ୍ପିୟାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ