କର୍କଟ ରୋଗରୁ ରକ୍ଷାକରେ ମିଠାମକା
ମିଠା ମକା ବା ସ୍ୱିଟ୍କର୍ଣ୍ଣ ଖାଇବାକୁ କିଏ ପସନ୍ଦ ନକରନ୍ତି କହିଲେ । ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଏହା ବେଶ୍ ପ୍ରିୟ ଆହାର ପାଲଟିଛି । ଏଥିରେ ଭରପୂର୍ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟାରୁ ଆରୋଗ୍ୟ ପ୍ରଦାନ କରିଥାଏ । ବିଶେଷ କରି କ୍ୟାନସର୍ ଭଳି ଦୂରାରୋଗ୍ୟ ରୋଗରୁ ସୁରକ୍ଷା ଦେଇଥାଏ । ସ୍ୱିଟ୍ କର୍ଣ୍ଣ ବା ମିଠାମକା ଏବେ ରାସ୍ତାଘାଟ ସବୁଠି ବିକ୍ରି ହେଉଥିବା ଏକ ଲୋକପ୍ରିୟ ତଥା ମନପସନ୍ଦର ଖାଦ୍ୟ । ପିଲାଠୁ ନେଇ ବୁଢ଼ା ପ୍ରତିଟି ବର୍ଗଙ୍କ ପାଇଁ ଏହା ବେଶ୍ ଉତ୍ତମ ଆହାର । ଫାଙ୍କା ସମୟକୁ ଅତିବାହିତ କରିବାକୁ ହେଉ ଅବା ଗପସପର ମଜା ଉଠାଇବାକୁ ହେଉ ମିଠାମକା ସବୁରି ହାତରେ ଶୋଭାପାଏ । କିନ୍ତୁ ଏହା ଯେ କେବଳ ପାଟିକୁ ସୁଆଦିଆ ତା’ ନୁହେଁ, ବରଂ ଏଥିରେ ମହଜୁଦ୍ ଆଣ୍ଟିଅକ୍ସିଡାଣ୍ଟ ଏବଂ ବିଭିନ୍ନ ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବାରେ ସାହାଯ୍ୟ କରେ । ଏଥିରେ ଥିବା ଫେନାଲିକ୍ ଆଣ୍ଟିଅକ୍ସିଡାଣ୍ଟ ଏବଂ ପେରୁଲିକ୍ ଏସିଡ୍ କ୍ୟାନସର୍ ଭଳି ଗମ୍ଭୀର ରୋଗରୁ ରକ୍ଷା କରିଥାଏ । କ୍ୟାନସର୍ର ପ୍ରାରମ୍ଭିକ ସ୍ତରରୁ ଏହାର ସେବନ ବେଶ୍ ଉପକାରୀ । କେବଳ ସେତିକି ନୁହେଁ, ମକାରେ ଭିଟାମିନ୍ ବି-୧୨, ଆଇରନ୍ ଏବଂ ଫଲିକ୍ ଏସିଡ୍ ରହିଥାଏ, ଯାହା ଶରୀରକୁ ଏନିମିଆ ରୋଗରୁ ରକ୍ଷା କରିଥାଏ । ସେହିପରି ଏଥିରେ ଭିଟାମିନ ଏ ଏବଂ କ୍ୟାରେଟ୍ନଏଡ୍ ପ୍ରଚୁର ମାତ୍ରାରେ ଥିବାରୁ ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ପ୍ରତିଟି ସମସ୍ୟାରୁ ରକ୍ଷାକରେ । ପାଚନକ୍ରିୟା ଜନିତ କୌଣସି ସମସ୍ୟା ଥିଲେ ମିଠା ମକା ସେଥିରୁ ସୁସ୍ଥତା ପ୍ରଦାନ କରିଥାଏ । ଏହାବ୍ୟତୀତ ବଦହଜମି ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟାରୁ ମଧ୍ୟ ରକ୍ଷାକରେ ।