କର୍ମଚାରୀଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବା ପାଇଁ ନିବେଦନ
ଭୁୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରୋନା ଯୁଦ୍ଧରେ ଯେଉଁ ଲଢେଇ ଚାଲିଛି, ସେ ଲଢେଇରେ ଡ଼ାକ୍ତର, ନର୍ସ, ପାରାମେଡ଼ିକାଲ ଷ୍ଟାଫ, ପୋଲିସ୍, ଅଙ୍ଗନବାଡ଼ି କର୍ମୀ ଆଦି ବହୁ ଶ୍ରେଣୀର କର୍ମଚାରୀ ମୁହାଁମୁହଁ ସଂଘର୍ଷରତ । ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବାଦ୍ ଦେଲେ ପ୍ରଶାସନ ପ୍ରତି କରୋନା ଯେଉଁ ଆହ୍ୱାନ ସୃଷ୍ଟି କରିଛି, ତାର ସଫଳ ମୁକାବିଲା କରୁଛନ୍ତି ସାଧାରଣ କର୍ମଚାରୀମାନେ । ବହୁ ଅସୁବିଧା ସତ୍ତ୍ୱେ ପ୍ରଶାସନିକ କଳକୁ ଚଳାଇ ରଖିଛନ୍ତି ଏମାନେ । ସାମ୍ପ୍ରତିକ ପରିସ୍ଥିତିରେ ଘରୁ ଗୋଡ଼ କାଢିଲେ ପରିବାର ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହେଉଛି । ଏପରି ଆତଙ୍କଜନକ ପରିସ୍ଥିତିରେ ସରକାର କର୍ମଚାରୀମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା ପରିବର୍ତ୍ତେ ସେମାନଙ୍କ କ୍ଷେତ୍ରରେ ଆର୍ôଥକ କଟକଣା ପ୍ରୟୋଗ କରୁଛନ୍ତି । ଦୁଇବର୍ଷ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ଓ ଏଲ୍ଟିସି ମିଳିବ ନାହିଁ, ୫୦% ବକେୟା ଦରମା ବାବଦରେ ସରକାର ନୀରବ । ସର୍ଭିସ ପ୍ରୋଭାଇଡ଼ର ମାନଙ୍କ ଦ୍ୱାରା ନିଯୁକ୍ତ ଠିକା କର୍ମଚାରୀମାନଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ଅନେକଙ୍କୁ ଦରମା ମିଳୁନାହିଁ, ସେମାନେ ଛଟେଇ ଅପେକ୍ଷାରେ । ଅନ୍ୟାନ୍ୟ ଅସ୍ଥାୟୀ କର୍ମଚାରୀଙ୍କୁ ନା କାମ ଦିଆଯାଉଛି ନା ଦରମା । ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ । ଓଏସ୍ଆରଟିସି କର୍ମଚାରୀଙ୍କ କ୍ଷେତ୍ରରେ ମାସକୁ ଦଶଦିନର ଦିଆଯିବ, ଆଉ ଅଧିକ ଦିଆଯାଇ ପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଉଛନ୍ତି । ଲକ୍ଡ଼ାଉନ ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଛଟେଇ ହେବ ନାହିଁ ଏବଂ ଲକ୍ଡ଼ାଉନ୍ ଅସୁବିଧା ଯୋଗୁଁ କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇ ନପାରିଲେ ଦରମା କାଟ ହେବନାହିଁ ବୋଲି ସରକାର ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ନିକଟ ଭବିଷ୍ୟତରେ କରୋନା ଆତଙ୍କରୁ ମୁକ୍ତି ସମ୍ଭାବନା କ୍ଷୀଣ । ସାମାଜିକ, ଆର୍ôଥକ ଓ ସାଂସ୍କୃତିକ କ୍ଷେତ୍ର ଭୁଷୁଡ଼ି ପଡ଼ିଛି । ଜନସାଧାରଣ ଓ କର୍ମଚାରୀମାନେ ତଳିତଳାନ୍ତ ହେଲେଣି । ନିମ୍ନ ଆୟକାରୀ ଗୋଷ୍ଠୀ ବଞ୍ôଚବା ପାଇଁ ସଂଘର୍ଷ କରୁଛନ୍ତି । କରୋନା ପୂର୍ବ ଅବସ୍ଥାକୁ ସରକାରୀ କଳ ଫେରିଆସି ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ, କର୍ମଚାରୀମାନେ ହିଁ ଏ କାର୍ଯ୍ୟ କରିବେ । ଏ ଦୃଷ୍ଟିରୁ କର୍ମଚାରୀମାନଙ୍କ ଆର୍ôଥକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ସରକାର ସଚେତନ ରହିବା ଆବଶ୍ୟକ । ସରକାରୀ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଉତ୍ପନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କ କ୍ଷେତ୍ରରେ ଅଧିକ ସଙ୍କଟ ସୃଷ୍ଟି ନକରିବା ଓ ଏହି ପରିସ୍ଥିତିରେ ପ୍ରତ୍ୟାହୃତ ଆର୍ଥିକ ଓ ଅଣଆର୍ôଥକ ସୁବିଧାକୁ ପୁନଃ ପ୍ରଚଳନ କରିବା ପାଇଁ ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତିର ବୟୋଜ୍ୟେଷ୍ଠ ନେତୃତ୍ୱ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମଲ୍ଲ, ଅଧ୍ୟକ୍ଷ ଭବାନୀ ମୋହନ ପଟ୍ଟନାୟକ, ମହାସଚିବ ଶୁଭେନ୍ଦୁ କୁମାର ରାଉତରାୟ, ସାଧାରଣ ସଚିବ (ମୁଖ୍ୟାଳୟ) ହୃଷିକେଶ ମହାପାତ୍ର, ସାଧାରଣ ସମ୍ପାଦକ (ଅର୍ଥ) ହିମାଂଶୁ ଭୂଷଣ ସୁବୁଦ୍ଧି, କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ୍ଲ ନାୟକ, ମହିଳା ସାମ୍ମୁଖ୍ୟ ସାଧାରଣ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ନାୟକ, ଉପସଭାନେତ୍ରୀ ନିର୍ମଳା ଧଳ, ନିଗମ କର୍ମଚାରୀ ମହାସଂଘର ଅର୍ଥ ସମ୍ପାଦକ ପ୍ରଭାତ ପରିଡ଼ା ପ୍ରମୁଖ ନିବେଦନ କରିଛନ୍ତି ।