ଶ୍ରୀବଳଦେବଜୀଉଙ୍କ ଜନ୍ମ ଦିବସ ଓ ରାକ୍ଷୀପୂର୍ଣ୍ଣିମା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ମହାସମାରୋହରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି। ଏଥିସହିତ ଲକ୍ଷେ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ ଶ୍ରୀବଳଦେବଜୀଉ। ଶ୍ରୀଜୀଉଙ୍କ ଜନ୍ମ ଉତ୍ସବ ଓ ରକ୍ଷାବନ୍ଧନ ନୀତି ପାଳନ ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ସେବାୟତଙ୍କ ଦ୍ୱାରା ଖିରି, ପିଠା ଓ କାନିକା ପ୍ରସାଦ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମଉତ୍ସବ ଏବଂ ରକ୍ଷାବନ୍ଧନ ନୀତି ଧୁମ୍ ଧାମରେ ପାଳନ କରାଯାଇଛି। ଆଜି ପ୍ରତ୍ୟୁଷରୁ ଦ୍ୱାର ଉନ୍ମୁକ୍ତ କରାଯାଇ ପ୍ରଥମେ ଜୟ ମଙ୍ଗଳା ଆଳତି ହୋଇଥିଲା। ପରେ ନୀତି ସ୍ନାନବଲ୍ଲଭ, ସକାଳଧୂପ ନଅଟା ବେଳକୁ ସମ୍ପନ୍ନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ରାଜାଧୀରାଜ ବେଶ ଅନୁଷ୍ଠିତ ହୋଇଥିଲା। ବେଶ ସମ୍ପନ୍ନ ପରେ ଜନ୍ମ ଅଭିଷେକ, ଗମା ଅଭିଷେକ ଓ ମଙ୍ଗଳାର୍ପଣ କରାଯାଇ ଖିରି, ପିଠା ଓ ପେଡା ଭୋଗ କରାଯାଇଥିଲା। ପରେ ଶ୍ରୀଜୀଉଙ୍କୁ ସୁସଜ୍ଜିତ କରାଯାଇ ଚନ୍ଦନ ଅଗୁରୁ ମିଶ୍ରିତ ଲକ୍ଷେ ତୁଳସୀ ଭକ୍ତ ସମାଜଙ୍କ କଲ୍ୟାଣ ନିମନ୍ତେ ପୂଜାପଣ୍ଡାଙ୍କ ଦ୍ୱାରା ପ୍ରଭୁଙ୍କ ଶ୍ରୀ ଚରଣରେ ସମର୍ପିତ କରାଯାଇଥିଲା। ବାଇଶି ପାହାଚ ତଳେ ସେବାୟତଙ୍କ ଦ୍ୱାରା ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞ ପାଠ କରାଯାଇଥିଲା। ପ୍ରସାଦ ସେବନ ଓ ଖିରି ପିଠା ଭକ୍ତ ଙ୍କୁ ବଣ୍ଟନ କରାଯାଇଥିଲା। ପବିତ୍ର ରକ୍ଷା ବନ୍ଧନ ଥିବାରୁ ପୁରୀରୁ ଆସି ଭଣ୍ଡାର ଗୃହରେ ଥିବା ପାଟରାକ୍ଷୀ ସୁଭଦ୍ରା ପଣ୍ଡାଙ୍କ ଦ୍ୱାରା ଶ୍ରୀବଳଦେବଜୀଉ ଓ ଜଗନ୍ନାଥଙ୍କୁ ପିନ୍ଧା ଯାଇଥିଲା। ସମସ୍ତ ନୀତି କାର୍ଯ୍ୟରେ ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସୁପର ଭାଇଜର ନୃସିଂହ ଚରଣ ପତ୍ରୀ, ଜ୍ୟୋତି ରଞ୍ଜନ ପତ୍ରୀ, ବଡ଼ପଣ୍ଡା ମାଧବ ପତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ଏହାପରେ ଦୁଇ ପ୍ରହର ଧୂପ, ସନ୍ଧ୍ୟା ଆଳତି ଓ ରାତ୍ର ଧୂପ, ଯଜ୍ଞ, ପୂର୍ଣ୍ଣାହୁତି ଏବଂ ବଡ଼ ସିଂହାର ପୁଷ୍ପାଞ୍ଜଳି ପ୍ରଦାନ ପରେ ପହୁଡ଼ ଲାଗି ସମ୍ପନ୍ନ ବେଳକୁ ରାତ୍ର ଦୁଇଟା ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।


