କଳପଡାରେ ପଞ୍ଚାୟତ ସ୍ତରୀୟ ମହାସଙ୍ଘ ଗଠନରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ମହାସଙ୍ଘ ଗଠନରେ ଅନିୟମିତତା ହୋଇଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କଳପଡା ପଞ୍ଚାୟତର ଟୁବିହୁଡା, ଖସାଡି, ଛଗରିଆ, କଳପଡା ପ୍ରଭୃତି ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଓ ସମ୍ପାଦିକାମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ପଞ୍ଚାୟତରେ ଦୀର୍ଘଦିନ ଧରି ପଞ୍ଚାୟତ ସ୍ତରୀୟ ମହାସଙ୍ଘ ନାହିଁ । ମାତ୍ର ଗତକିଛି ଦିନ ତଳେ କଳପଡା ଗ୍ରାମପଞ୍ଚାୟତ ସଭାଗୃହରେ ସରକାରୀ ଅଧିକାରୀଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ବୈଠକ ହୋଇ ପଞ୍ଚାୟତ ସ୍ତରୀୟ ମହାସଙ୍ଘ ଗଠନ ହୋଇଥିଲା । କ୍ଲଷ୍ଟର ଗଠନରେ ବେଆଇନ ଭାବେ କେତେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସେଥିରୁ ବାଦ ଦିଆଯାଇଥିଲା । ମହାସଙ୍ଘ ଗଠନ ଓ ସଭାପତି ଏବଂ ସମ୍ପାଦିକା ଚୟନ ମନମୁଖି ତଥା ଏକଚାଟିଆ ଭାବରେ କରାଗଲା । ମହାସଙ୍ଘ ସଠିକ ଭାବରେ ଗଠନ କରାଯାଇ ନଥିବାରୁ ଅଧାରୁ ଅଧିକ ସଭ୍ୟା ତାହାର ବିରୋଧ କରିଥିଲେ । ପରେ ପୁନର୍ବାର ଦିନଧାର୍ଯ୍ୟ ପୂର୍ବକ ବ୍ଲକ କାର୍ଯ୍ୟାଳୟରେ ବୈଠକ କରାଯାଇ ସମସ୍ତ ଏସଏଚଜିର କର୍ମକର୍ତ୍ତା, ଅଭାବି ପରିବାରର ସଦସ୍ୟାମାନଙ୍କ ଉପସ୍ଥିତିରେ ମହାସଙ୍ଘ ଗଠନ କରାଗଲା । ସେହି ବୈଠକରେ ସର୍ବସମ୍ମତିକ୍ରମେ ଗୀତାଞ୍ଜଳି ନାୟକଙ୍କୁ ସଭାନେତ୍ରୀ ଓ ନମିତା ସ୍ୱାଇଁଙ୍କୁ ସମ୍ପାଦିକା ଭାବେ ମନୋନ୍ୱିତ କରାଯାଇ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କଳପଡା ଶାଖାରେ ବ୍ୟାଙ୍କ ଜମାବହି ଖୋଳାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଉଭୟ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ପରବର୍ତ୍ତୀ ସମୟରେ ବ୍ୟାଙ୍କରେ ଖାତା ଖୋଲିବାକୁ ବ୍ଲକ ପକ୍ଷରୁ ବାରଣ କରାଗଲା । କିନ୍ତୁ ଗତ ୧୩ତାରିଖରେ ବିପିଏମଙ୍କ ଦାୟୀତ୍ୱରେ ଥିବା ଆଦିତ୍ୟ ଲେଙ୍କା ଦ୍ୱାରା ପଞ୍ଚାୟତର ବହୁ ଏସଏଚଜିଙ୍କ ଅଗୋଚରରେ ହାତଗଣତି ଅଳ୍ପ କେତେକ ଏସଏଚଜିଙ୍କୁ ନେଇ କଳପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ବୈଠକ କରାଯିବା ସହ କୈାଣସି ଆଲୋଚନା ଆରମ୍ଭ କରାଯିବା ପୂର୍ବରୁ ପ୍ରଥମେ ଉପସ୍ଥିତ ସଦସ୍ୟାଙ୍କ ସ୍ୱାକ୍ଷର ଏକ କାଗଜରେ ନିଆଯାଇଥିଲା । ପରେ ଶ୍ରୀ ଲେଙ୍କା ବ୍ଲକରେ ସବୁ ସିଦ୍ଧାନ୍ତ ନିଆଯିବ କହି ସଭାସ୍ଥଳରୁ ପଳାଇଯାଇଥିଲେ । ୨୦୧୭ମସିହାର ଏସଏଚଜିମାନଙ୍କୁ ବାଦ ଦିଆଯାଇ ମହାସଙ୍ଘ ଗଠନ କରାଯାଇଥିବାରୁ ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବ୍ଲକରେ ହୋଇଥିବା ବୈଠକରେ ଚୟନ କରାଯାଇଥିବା ସଭାନେତ୍ରୀ ଓ ସମ୍ପାଦିକାଙ୍କ ନାମକୁ ବଦଳାଯାଇ ସେହି ସ୍ଥାନରେ ଅନ୍ୟ ଦୁଇଜଣଙ୍କ ନାମ ବେଆଇନ ଭାବେ ସେହି ସ୍ୱାକ୍ଷରିତ କାଗଜରେ ଲେଖିଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କଳପଡା ବଟବାବା ସ୍ୱୟଂ ସହାୟିକା ଗୋଷ୍ଠିର ସମ୍ପାଦିକା ମୀନତି ସ୍ୱାଇଁ, ସଭାନେତ୍ରୀ ଶୈଳଜା ସ୍ୱାଇଁ, ଭାରତୀ ସାମଲ, ସୈାଦାମିନୀ ସ୍ୱାଇଁ, ମମତା ବେହେରା, କବିତାଞ୍ଜଳି ସ୍ୱାଇଁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ