କଳାଜାଇରେ ଭରା ଶରୀର
ବ୍ରିଙ୍ଗହାମ୍ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍ରେ ଆକ୍ରାନ୍ତ ହୋଇଥିଲେ । ଫଳରେ ତାଙ୍କ ଶରୀର ସାରା ବଡ଼ ବଡ଼ କଳାଜାଇ ହୋଇଯାଇଥିଲା । ସେଥିପାଇଁ ପିଲାଦିନୁ ସେ ସମାଜର ଅନେକ ଗଞ୍ଜଣା ଶୁଣିଛନ୍ତି । କିଏ ତାଙ୍କୁ “ଡାଲମେସିଆନ୍’ ତ କିଏ “ସ୍ପଟି ଫେସ୍’ ଓ “କୁକି’ ଡାକୁଥିଲେ । କେହି କେହି ତ ତାଙ୍କୁ ପାଖରେ ବସେଇବାକୁ ବି ଭଲ ପାଉ ନ ଥିଲେ । ଦୁଇ ସନ୍ତାନର ମା’ ଚେରିଲ କିନ୍ତୁ ଏଥିପାଇଁ ନିଜକୁ କେବେ ଘର କୋଣରେ ଲୁଚାଇ ରଖିନାହାନ୍ତି । ଯଦିଓ ପ୍ରଥମେ ପ୍ରଥମେ ଲୋକଙ୍କ କଥା ତାଙ୍କୁ ଖରାପ ଲାଗୁଥିଲା, ହେଲେ ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ ପାଇବା ଆରମ୍ଭ କରିଦେଇଥିଲେ । ନିକଟରେ ସେ ନିଜର କିଛି ଫଟୋ ଇନ୍ଷ୍ଟାଗ୍ରାମରେ ଅପଲୋଡ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ କିଛି ଦିନ ପରେ ତାଙ୍କୁ “ମଡ଼େଲ୍ସ ଅଫ୍ ଡାଇଭର୍ସିଟି’ ନାମକ ମଡେଲିଂ ଏଜେନ୍ସିରୁ ମଡେଲିଂର ଅଫର୍ ଆସିଲା । ଯାହାକୁ ଚେରିଲ ଆଦୌ ବିଶ୍ୱାସ କରିପାରି ନ ଥିଲେ । ଏହି ମଡେଲିଂ ଏଜେନ୍ସି ଭିନ୍ନ ଶରୀରଧାରୀ ମହିଳା, ଯାହାଙ୍କୁ ସମାଜ ଅସୁନ୍ଦର କହେ, ତାଙ୍କୁ ବାଛିଥାଏ ମଡେଲିଂ ପାଇଁ । ବର୍ତ୍ତମାନ ଚେରିଲ ଜଣେ ସଫଳ ମଡେଲ । ଆଉ ସେ ନିଜ ଜୀବନକୁ ନେଇ ବେଶ୍ ଖୁସି ଅଛନ୍ତି । ଆଉ ଅନ୍ୟ ପାଇଁ ଉଦାହରଣ ବି ସାଜିଛନ୍ତି ।


