ଲୁଣ ଖଣିରେ ସ୍ପା
ମନ, ଶରୀରକୁ ରିଲାକ୍ସ କରିବା ପାଇଁ ଆଜିକାଲି ବିଭିନ୍ନ ବିୟୁଟି ଥେରାପି ସଂସ୍ଥା ବିଭିନ୍ନ ସ୍ପା ସେବା ପ୍ରଦାନ କରିଥାନ୍ତି । ତେବେ ୟୁରୋପର ବେଲାରୁଷଠାରେ ରହିଛି ଏଭଳି କିଛି ଲୁଣ ଖଣି ଯେଉଁଠାରେ ପର୍ଯ୍ୟଟକମାନଙ୍କୁ ଏକ ନିଆରା ସ୍ପାର ଅନୁଭୂତି ପ୍ରଦାନ କରାଯାଇଥାଏ । ମାଟିରୁ ୪୦୦ ମିଟର ଗଭୀରରେ ଥିବା ଏହି ସ୍ପାରେ ପର୍ଯ୍ୟଟକମାନେ ଲୁଣ ଘେରା କୋଠରୀ ଭିତରେ କିଛି ମୁହୂର୍ତ୍ତ ଆରାମ କରିବା ସହ ବିଭିନ୍ନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ଉପଶମ ଲାଭ କରନ୍ତି । କୁହାଯାଏ ବେଲାରୁଷର ଖଣି ଏବଂ ସୁଡ଼ଙ୍ଗଗୁଡ଼ିକରେ ଲୁଚି ରହିଛି ପୃଥିବୀର ସବୁଠାରୁ ବଡ଼ ଲୁଣର ଭଣ୍ଡାର । ପ୍ରତିବର୍ଷ ଏଠାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ପରିଭ୍ରମଣରେ ଆସିଥାନ୍ତି । ଏଠାରେ ପ୍ରଦାନ କରାଯାଉଥିବା ସଲ୍ଟ ଥେରାପି ମାଧ୍ୟମରେ ସେମାନେ ନା କେବଳ ମାନସିକ ଶାନ୍ତି ଲାଭ କରନ୍ତି ବରଂ ଆଜ୍ମା, ଏଲର୍ଜି, ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ ମଧ୍ୟ ଲାଭ କରନ୍ତି । ଏହି ସ୍ପାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରି ଯାପନର ସୁବିଧା ଥିବାବେଳେ ଆରାମଦାୟକ ପରିବେଶ ପାଇଁ ଏଠାରେ ସ୍ଲୋ ମ୍ୟୁଜିକ୍ର ବ୍ୟବସ୍ଥା ମଧ୍ୟ ରହିଛି । କେବଳ ସେତିକି ନୁହେଁ, ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବା ଲାଗି ଟିଭି, ଇଣ୍ଟରନେଟ ଭଳି ଆଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା ନାହିଁ ବରଂ ପର୍ଯ୍ୟଟକମାନେ ୱାକିଂ, ଜଗିଙ୍ଗ୍, କସରତ କରିବା ସହ ଭଲିବଲ, ବାସ୍କେଟବଲ ଖେଳିବାର ମଜା ଉଠାଇପାରିବେ ।


