କଳାମାଟିଆ ଗ୍ରାମ୍ୟ ରାସ୍ତାର ନବୀକରଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) – ସ୍ୱାଧୀନତାର ୭୨ବର୍ଷ ପରେବି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୫କିଲୋମିଟର ଦୂରରେ ଥିବା କଳାମାଟିଆ ଗ୍ରାମ୍ୟ ରାସ୍ତାଟିର ଦୁରାବସ୍ତା ଦୂର ହୋଇପାରିନି । ପଂଚାୟତରେ ଜଣଙ୍କ ପରେ ଜଣେ ସରପଂଚ ଆସନ ଦଖଲ କରିଛନ୍ତି,ଜଣକ ପରେ ଜଣେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ କଳାମାଟିଆ ଗ୍ରାମବାସୀଙ୍କ ଦୁଃଖ ଲାଘବ ହୋଇପାରିନି । ଖରାଦିନେ ଗ୍ରାମ ଭିତରକୁ କୈାଣସି ମତେ ଯିବାଆସିବା କରିବା ସମ୍ଭବ ହେଉଥିଲେ ମଧ୍ୟ ବର୍ଷାଦିନେ ଚାଲିକରି ଯିବା ମଧ୍ୟ ସମ୍ଭବ ହୁଏନାହିଁ । ଦିନ ପରେ ଦିନ ମାସ ପରେ ମାସ ଓ ବର୍ଷ ପରେ ବର୍ଷ ବିତିଯାଏ, ଜଣକ ପରେ ଜଣେ ସରପଂଚ,ସମିତିସଭ୍ୟ ଓ ବିଧାୟକ ନିର୍ବାଚିତ ହୋଇ ଆସିଥାନ୍ତି ଏବଂ ଏହି ଗ୍ରାମର ଲୋକମାନଙ୍କୁ କେବଳ ରାସ୍ତା ନିର୍ମାଣର ପ୍ରତିଶୃତି ମିଳିଥାଏ କିନ୍ତୁ କାମ ହୁଏନା । ସେହି ରାସ୍ତାଟି ହେଉଛି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଂଚାୟତର ନିଳିକଣା ରାଜସ୍ୱ ଗ୍ରାମର ପଡାଗ୍ରାମ କଳାମାଟିଆ ଗ୍ରାମର ଗ୍ରାମ୍ୟ ରାସ୍ତା । ଏହି ଗ୍ରାମର ଲୋକମାନେ ସେହି ରାସ୍ତାର ନବୀକରଣ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେବି ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନି । ଗ୍ରାମଟିର ଅଧିକାଂଶ ଲୋକ ଚାଷବାସ କରି ଜୀବିକା ନିର୍ବାହ କରିଥାନ୍ତି । ରାଜନୀତିର ଛକାପଞ୍ଝା ଭିତରେ କେହିବି ଏହି ଗ୍ରାମର ସାମୁହିକ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିନାହାନ୍ତି । ଗ୍ରାମବାସୀଙ୍କ ଦୈନନ୍ଦିନ କାର୍ଯ୍ୟ ନିର୍ବାହ ସହିତ ଗ୍ରାମର ସ୍କୁଲ,କଲେଜ ପିଲାମାନେ ମଧ୍ୟ ସେହି ରାସ୍ତାରେ ଯିବା ଆସିବା କରିବାରେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବର୍ଷାଦିନେ ଜରୁରୀ ସମୟରେ ଅଗ୍ନିଶମ ବିଭାଗ ଗାଡି କିମ୍ବା ଆମ୍ବୁଲାନ୍ସ ଗ୍ରାମ ଭିତରକୁ ଯାଇପାରେନାହିଁ । ଏଭଳି ପରିସ୍ଥିତିରେ ରାସ୍ତାର ଆବଶ୍ୟକତାର ଗୁରୁତ୍ୱକୁ ଅନୁଭବ କରି ଜିଲ୍ଲାପାଳ ତୁରନ୍ତ ଏହି ରାସ୍ତାର ନବୀକରଣ ବା ନିର୍ମାଣ କରିବାକୁ ଆବଶ୍ୟକ ନିର୍ଦେଶ ପ୍ରଦାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଭାକର ସ୍ୱାଇଁ, ରବିନ୍ଦ୍ର ସ୍ୱାଇଁ, ବିଷ୍ଣୁ ଚରଣ ସ୍ୱାଇଁ, ପ୍ରେମଲତା ବିଶ୍ୱାଳ, ସରସ୍ୱତୀ ରାଉତ, ମେଘି ରାଉତ, ବାସନ୍ତୀ ସ୍ୱାଇଁ, ଚିନ୍ମୟୀ ସ୍ୱାଇଁ, ରଶ୍ମୀରେଖା ସ୍ୱାଇଁ, ପ୍ରମିଳା ସ୍ୱାଇଁ, ରଶ୍ମିତା ସ୍ୱାଇଁ, ହେମଲତା ସ୍ୱାଇଁ, କବିତା ସ୍ୱାଇଁ, ଆରତୀ ରାଉତ ପ୍ରମୁଖ ଶତାଧିକ ଗ୍ରାମବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମଙ୍ଗଳବାର ସାକ୍ଷାତକରି ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ସେହି ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।