କଷ୍ଟ ଦେଉଛି କରୋନା ଭୋକ ଉପାସରେ କଟୁଛି ଦିନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଦୈନିକ ଖଟିଲେ ଚୁଲି ଜଳୁଥିଲା । ଛୁଆ ପିଲାଙ୍କ ପେଟରେ ଦୁଇ ଓଳା ଦୁଇ ମୁଠା ଦାନା ଯାଉଥିଲା, କିନ୍ତୁ ଏବେ କରୋନା କଟକଣା ଜୀବନକୁ ଦୁର୍ବିସହ କରିଦେଇଛି । ଏବେ ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । କାମଧନ୍ଦା ବନ୍ଦ ଥିବାରୁ ହାତ ବାନ୍ଧି ବସିବାକୁ ବାଧ୍ୟ ହୋଇଛନ୍ତି । ଏମିତି ଭୋକ ଉପାସ ଓ ଦୁଃଖରେ ଦିନ କାଟୁଛନ୍ତି ଛତାବର ପଞ୍ଚାୟତ କନ୍ଦଳେଇ ଆଦିବାସୀ ପଲ୍ଲୀର ଗ୍ରାମବାସୀ । ପଲ୍ଲୀରେ ରହିଥିବା ମୋଟ୍ ୪୬ ପରିବାର କୋହ୍ଲ ସଂପ୍ରଦାୟର । ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗ୍ରାମବାସୀମାନେ ବଜାରରେ ବିକ୍ରି କରିଥାନ୍ତି । ଅନେକ ଆଖ ପାଖ ଗାଁକୁ ମୂଲ ଲାଗିବାକୁ ଯାଇଥାନ୍ତି । ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ସେମାନେ ଅସହାୟ ହୋଇପଡ଼ିଛନ୍ତି । ବଜାରରେ ମାନ୍ଦା ଅବସ୍ଥା ଯୋଗୁଁ ସଂଗୃହୀତ ଜଙ୍ଗଲଜାତ ସାମଗ୍ରୀ ବିକ୍ରି ହୋଇପାରୁନି । ରୋଜଗାର ର ବାଟ ବନ୍ଦ ହୋଇଯାଇଥିବାରୁ କେମିତି ଖାଇବା ଯୋଗାଡ଼ କରିବେ ତାହାକୁ ନେଇ ଏବେ ଚିନ୍ତାରେ । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ‘ଆଶ୍ରା’ ପକ୍ଷରୁ ପ୍ରତି ପରିବାରକୁ ଦୁଇଟି ପର୍ଯ୍ୟାୟରେ ଡାଲି, ଚାଉଳ, ସାବୁନ୍, ଚୁଡ଼ା, ସୋରିଷତେଲ, ଚିନି, ଲୁଣ ଏବଂ ଆଳୁ ଇତ୍ୟାଦି ସାମଗ୍ରୀ ଯୋଗାଇ ଦିଆଯାଇଛି । ସାମାଜିକକର୍ମୀ ପ୍ରଦୀପ୍ତ ରଂଜନ ରାଉତ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ମନସ୍ୱିନୀ ମିଶ୍ର ଡେଙ୍ଗ ଓ ପୂର୍ବତନ ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ ‘ଆଶ୍ରା’ ସଂଗଠନର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଆମକୁ କାମ ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀମାନେ ସରକାରଙ୍କୁ ନିବେଦନ କରିଛନ୍ତି ।