କାଡାନାଳ ଅବରୋଧ ଯୋଗୁ ହୋଇପାରୁନି ଜଳ ନିଷ୍କାସନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଛୟାଳସିଂ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ନିଳୋକ ପଞ୍ଚାୟତର ବାଇପୁର ମୌଜାରେ କେତେକ ଚାଷୀ କାଡାନାଳକୁ ଅବରୋଧ କରିଥିବା ଯୋଗୁ ଜଳନିଷ୍କାସନ ହୋଇପାରୁନାହିଁ । ଫଳରେ ପ୍ରାୟ ୩୦ ଏକର ଚାଷ ଜମିରେ ରୁଆଧାନ ପଚି ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ପ୍ରକାଶ ଯେ, ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କ ବିକାଶକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ମୌଜାରେ ଥିବା ଚାଷ ଜମିରେ କାଡାନାଳର ବ୍ୟବସ୍ଥା କରାଇଛନ୍ତି । ଫଳରେ ଚାଷ ଜମିକୁ ସୁବିଧାରେ ଜଳଯୋଗାଣ ହେବା ସହ ଜଳ ନିଷ୍କାସନ ହୋଇପାରିବାର ସୁବିଧା କରାଯାଇଛି । ଏପରିସ୍ଥଳେ ଦୀର୍ଘ ଦିନ ହେବ ନିର୍ମାଣ ହୋଇଥିବା କାଡାନାଳକୁ ସଂପୃକ୍ତ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ । ଅପରପକ୍ଷେ କାଡାନାଳ ପାଶ୍ୱର୍ରେ ଥିବା ଚାଷୀ ମାନେ କାଡା ନାଳକୁ ନିଜ ଜମିରେ ମିଶାଇ ଦେଇଛନ୍ତି । ଫଳରେ ଚାଷ ଜମିକୁ ଜଳଯୋଗାଣ କିମ୍ବା ଜଳନିଷ୍କାସନରେ ଅସୁବିଧା ସୃଷ୍ଟି ହେଉଛି । ସେହିଭଳି ସମସ୍ୟା ଦେଖାଯାଇଛି ବାଇପୁର ମୌଜାର ଚାଷୀ ମାନଙ୍କ କ୍ଷେତ୍ରରେ । ଏହି ମୌଜାରେ ଦୀର୍ଘଦିନ ହେବ କାଡାନାଳ ମରାମତି ହୋଇନଥିବାରୁ ଚାଷୀମାନେ କାଡାନାଳକୁ ନିଜ ଜମିରେ ମିଶାଇ ଦେଇଛନ୍ତି । ଏବେ ଲଘୁଚାଷ ବର୍ଷାରେ ପ୍ରାୟ ୩୦ ଏକର ଚାଷ ଜମି ଜଳମଗ୍ନ ଅବସ୍ଥାରେ ରହିଛି । ଫଳରେ ଚାଷ ଜମିରେ ରୁଆଧାନ ପଚି ନଷ୍ଟ ହେବା ଚିନ୍ତାରେ ଚାଷୀ ମାନେ ପଡିଛନ୍ତି । ଏନେଇ ବାଇପୁର ମୌଜାର ଚାଷୀ ଯୁଧିଷ୍ଠିର ଯେନା, ରବିନ୍ଦ୍ର କୁମାର ପଣ୍ଡା, ହଳଧର ସାହୁ, ସଞ୍ଜୟ ସେନାପତି, ଅନନ୍ତ ଚରଣ ସାହୁ, ଶ୍ରୀନିବାଶ ସେଠୀ, ପର୍ଶୁରାମ ଯେନା, ରାହୁଲ ପଣ୍ଡା, କିଶୋର ସେନାପତି ପ୍ରମୁଖ ତହସିଲଦାର, ଥାନାଧିକାରୀ, ଜଳସେଚନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ସରପଞ୍ଚ, ପାଣି ପଞ୍ଚାୟତର ସଭାପତି ଓ ସଂପାଦକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ମୌଜାର କାଡାନାଳର ପୁନରୁଦ୍ଧାର ସହ ବର୍ତ୍ତମାନ ଚାଷ ଜମିରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଇବାକୁ ସେମାନେ ଦାବୀ କରିଛନ୍ତି ।


