କାର୍ତ୍ତିକର ପ୍ରଥମ ସୋମବାର : ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ଆସିକା (ୱାଇଏନ୍‍ଏସ୍‍):  ଧର୍ମ ଓ ପୂଣ୍ୟ ଅର୍ଜନର ମାସ କାର୍ତ୍ତିକର ପ୍ରଥମ ସୋମବାରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠରୂପେ ପରିଚିତ ଥିବା ପୁଡୁଗେଶ୍ୱର, ସୁବର୍ଣ୍ଣେଶ୍ୱର, ବାଲୁଙ୍କେଶ୍ୱର, ତ୍ରିବିଦ୍ଧେଶ୍ୱର, ନର୍ମଦେଶ୍ୱର, କପିଳେଶ୍ୱର, ରାମେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଭିଡ ଜମାଇଥିଲେ । ଭୋର ସମୟରେ ଶ୍ରଦ୍ଧାଳୁ ମହିଳାମାନେ ପବିତ୍ର ଋଷିକୂଲ୍ୟା ନଦୀରେ କାର୍ତ୍ତିକ ସ୍ନାନସହ ବାଲୁକା ପୂଜାସାରି କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ଲକ୍ଷ୍ୟରେ ଶିବ ମନ୍ଦିର ଗୁଡିକରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଗୁଡିକରେ ଏକ ଆଧ୍ୟ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଗତ କୁମାର ପୂର୍ଣ୍ଣିମା ପର ଦିନ ଠାରୁ ଆରମ୍ଭ ହୋଇଯାଇଛି ପୁଣ୍ୟ ଅର୍ଜନର ମାସ। ଭାଗବତ ଆରାଧନାରେ ସମୟ ବିତାଇବାର ମାସ। ସେଥିପାଇଁ ବିଶେଷ କରି ହିନ୍ଦୁ ସମ୍ପ୍ରଦାୟର ମହିଳା ମାନେ ଏବେ ଚଳଚଞ୍ଚଳ। କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ମହିଳା ମାନେ ପ୍ରତ୍ୟୁଷରୁ ଉଠି ସ୍ନାନ ସାରି ମନ୍ଦିର ଖୋଲିବା ମାତ୍ରେ ଦେବ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ମହିଳା ମାନେ ସକାଳୁ ସକାଳୁ ଫଳ, ଫୁଲ, ଦୀପ, ଧୁପ ଧରି ପବିତ୍ର ଋଷିକୁଲ୍ୟା ନଦୀରେ ବାଲୁକାପୂଜା ସାରି ମନ୍ଦିରରେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବାକୁ ଭିଡ ଜମାଇଥିଲେ। ଭାଗବତ ଚିନ୍ତା ଆଗରେ ଫିକା ପଡିଯାଇଥିଲା ଅନ୍ୟସବୁ କଥା। କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନଟିକୁ ଯେପରି ଅପେକ୍ଷାକରି ବସିଥିଲେ ଶିବ ଭକ୍ତ। ଓଁ ନମଃ ଶିବାୟ ମନ୍ତ୍ର ଧ୍ୱନୀରେ କମ୍ପି ଉଠିଥିଲା ଶୈବପୀଠ ପରିସର। ପୂଣ୍ୟ ଓ ଧର୍ମ ଅର୍ଜନର ମାସ କାର୍ତ୍ତିକରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଠାରୁ ଆରମ୍ଭ କରି ବିଭିନ୍ନ ଦେବାଳୟ ଗୁଡିକ ଚଳଚଂଚଳ ହୋଇଉଠିଥିଲା । ବ୍ରାହ୍ମମୂହୁର୍ତ୍ତରୁ ମନ୍ଦିର ଗୁଡିକରେ ନାମ ସଂକୀର୍ତ୍ତନର ଧ୍ୱନୀ ଶୁଣିବାକୁ ମିଳିଥିଲା । ମନରେ ପ୍ରବଳ ଉତ୍ସାହ ଓ ଭକ୍ତିସହ ପୂଜାର୍ଚ୍ଚନାରେ ନିମଗ୍ନ ରହିଥିଲେ ଶ୍ରଦ୍ଧାଳୁ ଭକ୍ତ। ଶ୍ରଦ୍ଧାଳୁ ଭକ୍ତ ମାନେ ବେଲପତ୍ର, ନଡିଆ, କଦଳୀ, ଫୁଲ, କଞ୍ଚାକ୍ଷୀର ଧରି ଶୈବପୀଠ ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ