କାର୍ତ୍ତିକେଶ୍ୱର ପୂଜା ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ଦେବକୁମାର କାର୍ତ୍ତିକେଶ୍ୱରଙ୍କ ଜନ୍ମଦିବସ ଅବସରରେ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ବିଛା ସଂକ୍ରାନ୍ତି ଦିନ କାର୍ତ୍ତିକେଶ୍ୱରଙ୍କର ପୂଜାର୍ଚ୍ଚନା କରାଯାଉଥିବା ବେଳେ ବନ୍ତ ବ୍ଲକରେ ବିଭିନ୍ନ ସ୍ଥାନରେ ଏହି ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପାଗ ଅନୁକୂଳ ଥିବାରୁ ଚଳିତ ବର୍ଷ ଏହି ପୂଜା ଧୁମଧାମରେ ପାଳିତ ହୋଇଛି । ଏହି ଅବସରରେ ଗୋବିନ୍ଦପୁର ପଞ୍ଚାୟତ ପୋଇତଳିଆ ଗ୍ରାମର ମହେନ୍ଦ୍ର ଦାସଙ୍କ ପରିବାରରେ ପୁରୁଷାନୁକ୍ରମେ ଏହି ପୂଜା ପାଳିତ ହେଉଛି । ଗତ ଶୁକ୍ରବାର ଠାରୁ ୪ ଦିନ ଧରି ପାଳନ କରାଯାଇଥିବା ପୂଜା ସୋମବାର ସନ୍ଧ୍ୟାରେ ଉଦ୍ଯାପନ କରାଯାଇଛି । ଶୁକ୍ରବାର ରାତ୍ରରେ ଶୁଭାଧିବାସ, ଶନିବାର ରାତିରେ ଘଟତ୍ତୋଳନ କରାଯାଇ ୪ ପ୍ରହରରେ ଷୋଡ଼ଶୋପଚାରରେ କାର୍ତ୍ତିକେଶ୍ୱରଙ୍କ ସହ ପାଶ୍ୱର୍ ଦେବାଦେବୀମାନଙ୍କୁୁ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ବିକ୍ରମ ନନ୍ଦ ଓ ସୁରେନ୍ଦ୍ର ପଣ୍ଡା ଦାୟିତ୍ୱ ତୁଲାଇ ଥିଲେ । ଏହି ପୂଜା ଉତ୍ସବ ଜ୍ୟୋଷ୍ଠପୁତ୍ର ଅକ୍ଷୟ ନାରାୟଣ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ବେଳେ କର୍ତ୍ତା ଭାବେ ସପତ୍ନୀକ ଦାୟୀତ୍ୱ ତୁଲାଇଥିଲେ । ରିତୀନୀତି ଅନୁଯାୟୀ ଆସ୍ଥାନରେ କାର୍ତ୍ତିକେଶ୍ୱରଙ୍କ ସହ ପାଶ୍ୱର୍ ଦେବାଦେବୀ ଭାବେ ଲକ୍ଷ୍ମୀ, ସରସ୍ୱତୀ, ମହାଦେବ ଓ ନନ୍ଦୀ, ଭୃଙ୍ଗୀଙ୍କୁ ବିଧି ମତେ ପୂଜାର୍ଚ୍ଚନା କରାଯାଇଥିଲା । ୩ୟ ଦିବସ ସନ୍ଧ୍ୟାରେ ପ୍ରସାଦସେବନ ସହ ଭଜନସନ୍ଧ୍ୟାର ଆୟୋଜନ ହୋଇଥିଲା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ବିଭୂକୃପା ଲାଭ କରିଥିଲେ । ଶିଳ୍ପୀ ପଦ୍ମନାଭ ପଲେଇ ବିଗ୍ରହ ନିର୍ମାଣ କରିଥିଲେ । ସେହିପରି କେନ୍ଦୁଆପଦା, ସେଣ୍ଢତୀରା, ଅଣ୍ଢିଆ, ନିଳୋକ, ଗଣ୍ଡଗରା, ଆଡିଆ ପଞ୍ଚାୟତର କଳାପାହାଡ ଠାରେ ଏହି ଉତ୍ସବ ପାଳିତ ହୋଇଯାଇଛି ।