କାହା ସ୍ୱାର୍ଥରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗାନ୍ଧୀ ଜୟନ୍ତୀ ର ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହେଲେ କିଛି ସ୍ଥାନରେ ଅଳିଆ ଆବର୍ଜନା ସଫା କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଖାଲି ଫଟୋ ଉଠାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱଚ୍ଛତା ପାଇଁ ସରକାର ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସ୍ୱଚ୍ଛତା କରାନଯାଇ ଖାଲି କାଗଜ କଲମ ଓ ଫଟୋ ରେ ସ୍ୱଚ୍ଛତା ପ୍ରଦର୍ଶନ ହେଉଛି । କିନ୍ତୁ ବାସ୍ତବରେ କିଛି ହେଉ ନାହିଁ । ଏହାର ଏକ ଉଦାହରଣ ହେଉଛି ସିମନବାଡି ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତରେ ଶନିବାର ଦିନ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିଲା । ହେଲେ ଖାଲି ଫଟୋ ଉଠାଇ କାର୍ଯ୍ୟକ୍ରମ କୁ ସମାପ୍ତ କରାଗଲା । ପଞ୍ଚାୟତ ଠାରୁ ମାତ୍ର ୩ ଶହ ମିଟର ଦୂର ତଥା ଜାତୀୟ ରାଜପଥ କଡ ସିମନବାଡ଼ି ବଜାରରେ ଆବର୍ଜନା ଗଦା ଗଦା ହୋଇ ପଡ଼ି ରହିଥିଲେ ସୁଦ୍ଧା ତାହାକୁ ସଫା କରାଗଲା ନାହିଁ । ଉକ୍ତ ଅଳିଆ ଗଦା ପାଖରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରହିଥିବା ବେଳେ ପ୍ରତି ଦିନ ଗର୍ଭବତୀ, ପ୍ରସୂତି ଓ ରୋଗୀ ମାନେ ଆସିଥାନ୍ତି । ହେଲେ ଅଳିଆ ଗଦା ହୋଇ ରହିଥିବା ଯୋଗୁଁ ସେଠାରେ ଘୁଷୁରୀଙ୍କ ପ୍ରାଦୃଭାବ ବଢିବା ସହ ମଶା ବଂଶ ବୃଦ୍ଧି ପାଉଛି । ଯାହାରି ଫଳରେ ରାତି ହେଉ ଅବା ଦିନ ମଶା ଙ୍କ ପ୍ରାର୍ଦୁଭାବ ବଢିବା ସହ ଗନ୍ଧରେ ନାକ ଫାଟି ଯାଉଛି । ହେଲେ ଉକ୍ତ ସ୍ଥାନକୁ ସଫା ସୁତରା କରାଯାଉ ନାହିଁ। ବରଂ ସ୍ୱଚ୍ଛତା ହିଁ ସେବା ନାମରେ ଫଟୋ ଉଠାଇ ପଞ୍ଚାୟତ ପକ୍ଷରୁ ବାହା ବାହା ନିଆଯାଉଛି। ଖାଲି ଏହି ପଞ୍ଚାୟତ ନୁହେଁ ବରଂ ଗ୍ରୀନବାଡ଼ି ପଞ୍ଚାୟତରେ ମଧ୍ୟ ଏଭଳି ଭାବେ ଫଟୋ ଉଠାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିଲା । ଏଣୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଖାଲି ଫଟୋ ଉଠାଇ ଦେଖେଇ ହେବା ବଦଳରେ ବାସ୍ତବିକ ଭାବେ ଅଳିଆ ଆବର୍ଜନା ସଫା କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ