କୁମାରୀମାନଙ୍କ ଆଶା ଆକା„ାର ସ୍ୱରୂପ ମା’ ଖୁଦରଙ୍କୁଣୀ
“ବାଳାଂ ସୁବର୍ଣ୍ଣା ପରିଶୋଭିତାବର୍ଣ୍ଣଯୁକ୍ତା ଦକ୍ଷେ ଖଡ୍ଗ ତ୍ରିଶୂଳପାତ୍ର ଧରାଞ୍ଚ ବାମେ । ମୁକ୍ତିପ୍ରଦାଂ ତ୍ରିନୟନାଂ ତ୍ରିପୁରଂ ସ୍ମରାମି ମଙ୍ଗଳା ତ୍ୱଂ ସକଳଦା ଭଜାମି । ଏହି ପବିତ୍ର ଓଷା ସମ୍ବନ୍ଧରେ ନାନା କିମ୍ବଦନ୍ତୀ ରହିଥିବା ବେଳେ ବିଶେଷ ଭାବେ ସାତ ସାଧବଙ୍କ ଭଉଣୀ ତଅପୋଇ ସମ୍ବନ୍ଧିତ ଜନଶୃତିଟି ବେଶ ଜନାଦୃତ । ଆଷାଢ ମାସରେ ସାଧବମାନେ ବୋଇତମାନଙ୍କରେ ବିଦେଶକୁ ନାନାଦି ସାମଗ୍ରୀ ନେଇ ବଣିଜ କରିବାକୁ ସମୁଦ୍ର ପଥରେ ଯାତ୍ରା କରି ଫେରିବା ବେଳକୁ ପ୍ରଚୁର ଧନରତ୍ନ ନେଇ ଆସୁଥିଲେ । ସେତେବେଳର ସମୁଦ୍ର କୂଳ ବର୍ତ୍ତମାନ ବନ୍ଦରରେ ପରିଶତ ହୋଇଛି । ଏକ ସାଧବ ପରିବାରରେ ସାତ ଭାଇ ଓ ଗୋଟିଏ ଭଉଣୀ ଥିଲେ । ସାତ ଭାଇ ଯାକ ବଣିଜ କରିବାକୁ ଯିବା ସମୟରେ ଅଲିଅଳି ଭଉଣୀର ଅଳି ମୁତାବକ ସମସ୍ତ ସାମଗ୍ରୀ ଆଣିଦେବାକୁ ପ୍ରତିଶୃତି ଦେଇ ଯାଉଥିଲେ । ଭାଇମାନେ ଘର ଛାଡ଼ି ଯିବା ପୂର୍ବରୁ ଭଉଣୀ ତଅପୋଇ ତାଙ୍କର ଇଷ୍ଟ ଦେବୀ ମାଆ ମଙ୍ଗଳାଙ୍କ ନିକଟରେ ତାଙ୍କ ଯାତ୍ରାକୁ ସୁଗମ ଏବଂ ସର୍ବ ମଙ୍ଗଳ କରିବା ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରୁଥିଲେ । ତଅପୋଇ ଅବିବାହିତା ଥିବାରୁ ବିଶେଷକରି କୁମାରୀମାନେ ଏହି ଓଷା କରିବାର ପରମ୍ପରା ରହିଆସିଛି ଓଡ଼ିଶାର ପୁରପଲ୍ଲୀରେ । ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳମାନଙ୍କରେ ଏହି ଓଷା ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ବର୍ତ୍ତମାନ ସାରା ଓଡ଼ିଶାର କୁମାରୀମାନେ ଏହାକୁ ଭକ୍ତିପୂତ ପରିବେଶରେ ପାଳନ କରୁଥିବାର ଦେଖିବାକୁ ମିଳୁଛି ।\n ପୋ÷ରାଣିକ କିମ୍ବଦନ୍ତୀ ଅନୁସାରେ ସ୍ୱୟଂ ଦ୍ୱାରୀକାଧୀଶ ଶ୍ରୀକୃଷ୍ଣ ଏବଂ ତାଙ୍କର ବତିଶ ସହସ୍ର ପରିଚାରିକା ଓ ତିନି କନ୍ୟା ପ୍ରଥମେ ଏହି ଓଷା କରିଥିବାର ଜଣାଯାଇଛି । ସତ୍ୟ ଯୁଗରେ ମା’ ମଙ୍ଗଳା ନିଜର ମାତାଙ୍କୁ ଏହି ଓଷା ତାଙ୍କର ହେବ ବୋଲି ବର ମାଗି ନେଇଥିଲେ । ସେହି ଦିନ ଠାରୁ ଖୁଦୁରୁକୁଣୀ ଓଷା ଅନୁଷ୍ଠିତ ହେଉଥିବାର ମଧ୍ୟ ଜଣାଯାଏ । ଶ୍ରୀକୃଷ୍ଣ ଓ ତାଙ୍କ ସଖି ଶ୍ରୀୟା, ଶ୍ରୀମତୀ, ମଧୁ, ରୁକ୍ମଣୀ, ଲୀଳା, ସତ୍ୟଭାମା, ମରୁଆ, ସେବତୀ, ଜାମ୍ବବତୀ, ସରୁଆ, ତୁଳସୀ, ଉତ୍ତମା, ଭଦ୍ରା, ପଦ୍ମା, ପାର୍ବତୀ, ବିମଳା, ମଦନା, ମାଳତୀ, ସୁମେଧା, ରମ୍ଭା ଧ ରାଧାଙ୍କୁ ନେଇ ପ୍ରଥମେ ମଙ୍ଗଳାଙ୍କ ଓଷା କରିଥିଲେ । ଶକ୍ରାବତୀ ମଧ୍ୟ ଦେବକୀଙ୍କ ଠାରୁ ଏହି ଓଷା ବିଧି ବୁଝି ତଦନୁସାରେ ବ୍ରତ କରିଥିଲେ । \n ଏକଦା ଉପକୂଳବର୍ତ୍ତୀ ସାଧବ ତନୟବନ୍ତର ସାତ ପୁଅ ଏବଂ ଅଲିଅଳି କନ୍ୟାଙ୍କୁ ନେଇ ଚାଲିଥାଏ ସୁଖର ସଂସାର । ସାଧବ ତୟନବନ୍ତ ଓ ସ୍ତ୍ରୀ ଶକୁନ୍ତଳା ନିଜର କନ୍ୟା ତଅପୋଇଙ୍କୁ ଅତ୍ୟଧିକ ସ୍ନେହ କରୁଥିଲେ । ତାଙ୍କର ସମସ୍ତ ଅଳି ଅଝଟ ଶୁଣିବା ସହ ସମସ୍ତ ମନଷ୍କାମନା ପୂରଣ କରୁଥିଲେ ସେମାନେ । ତନୟବନ୍ତ ଜନୈକ ଧନବନ୍ତ ସାଧବ ଥିଲେ ଏବଂ ତାଙ୍କର ସାତ ଗୋଟି ବୋଇତ ଥିଲା । ସାଧବ ତା’ର ସାତପୁଅଙ୍କର ବିବାହ ରୂପବତୀ କନ୍ୟାମାନଙ୍କ ସହ କରିଥିଲା । ତଅପୋଇ ତା’ର ସମବୟସ୍କା କନ୍ୟାମାନଙ୍କ ସହ ମିତ୍ରତା କରି ସେମାନଙ୍କ ସହ ଖେଳାବୁଲା କରୁଥିଲା । ଦିନେ ଏକ ଘରେ ପାଞ୍ଚ ସାତ ଜଣ କନ୍ୟାଙ୍କ ସହ ତଅପୋଇ ଖେଳୁଥିବା ବେଳେ ସେହି ଗ୍ରାମର ଜଣେ ବିଧବା ବ୍ରାହ୍ମଣୀ ସେଠାରେ ପହଞ୍ôଚ ତଅପୋଇଙ୍କୁ କହିଲା-ତୁ ଏତେବଡ଼ ସାଧବର କନ୍ୟା ହୋଇ ବାଉଁଶ କୁଲା ଓ ଟୋକେଇରେ ଖେଳୁଛୁ, ମୁଁ ହୋଇଥିଲେ ସୁନାର କୁଲା ଓ ଚାନ୍ଦ ମାଗିଥାନ୍ତି । ସତକୁ ସତ କୁନି ଝିଅ ତଅପୋଇ ମନରେ ସୁନାର କୁଲା ଓ ଚାନ୍ଦ ପାଇବାର ଆଶା ଜାଗି ଉଠିଲା । ସେ ଯାଇ ବାପା ମାଆଙ୍କ ଆଗରେ ତାହା ପାଇବାକୁ ଜିଦ କଲା ଏବଂ ବାପା ତନୟବନ୍ତ ଝିଅର ମନ ରଖିବାକୁ ସୁନାର କୁଲା ଓ ଚାନ୍ଦ ତିଆରି କରାଇଲେ । ତାହା ପରେ ପରେ ତନୟବନ୍ତ ଓ ଶକୁନ୍ତଳାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ସାତ ଭାଇ ଯାକ ତଅପୋଇଙ୍କୁ ବାପା ମାଆଙ୍କ ଠାରୁ ଅଧିକ ସ୍ନେହ କରିବାକୁ ଲାଗିଲେ । ଏହା ଦେଖି ତାଙ୍କର ଛଅ ଭାଉଜ ଈର୍ଷା ପରାୟଣା ହୋଇ ତାଙ୍କ ଉପରେ ଦାଉ ସାଧିବାକୁ ଯୋଜନା କରିଥିଲେ ଏବଂ ସାନ ଭାଉଜ ନୀଳେନ୍ଦ୍ରି ତଅପୋଇଙ୍କୁ ନିଜର ସାନ ଭଉଣୀ ପରି ସ୍ନେହ କରୁଥିଲେ । ତଅପୋଇଙ୍କ ଭାଉଜମାନେ ବଣିଜ ଉଦ୍ଦେଶ୍ୟରେ ଜାଭା, ସୁମାତ୍ରା, ବାର୍ଲି, ବୋର୍ଣ୍ଣିଓ ଏବଂ ସିଂହଳ ଆଦି ଦ୍ୱୀପକୁ ଚାଲିଯିବା ପରେ ଛଅ ଭାଉଜ ଯାକ ବିଧବା ବ୍ରାହ୍ମଣୀ ପ୍ରରୋଚନାରେ ପଡ଼ି ତଅପୋଇଙ୍କୁ ନାନାଦି ଯନ୍ତ୍ରଣା ଦେବା ସହ ଖାଇବାକୁ ନଦେଇ ବନସ୍ତକୁ ଛେଳି ଜଗିବା ପାଇଁ ପଠାଇ ଦେଉଥିଲେ । ବଣରେ ତଅପୋଇ ଏଣେ ତେଣେ ବୁଲି ଛେଳି ଜଗିବା ସମୟରେ ସେଠାରେ ଥିବା ମଙ୍ଗଳା ମାଆଙ୍କ ପୀଠରେ ଶୋଇ ପଡୁଥିଲେ । ସାନ ଭାଉଜ ଲୁଚାଇ ଲୁଚାଇ ତାଙ୍କୁ ଖାଇବାକୁ ଦେଉଥିଲେ ଏବଂ ବଡ଼ ଯାଆମାନଙ୍କ ଠାରୁ ଗଞ୍ଜଣା ମଧ୍ୟ ଶୁଣୁଥିଲେ । ଜଣେ ଧନୀକ ସାଧବକଙ୍କର ଏକମାତ୍ର ଅଲିଅଳି କନ୍ୟା ହୋଇ ଏପରି ଦୁର୍ଦ୍ଦଶା ଭୋଗ କରିବେ ବୋଲି ସେ କେବେ ଆଶା କରି ନଥିଲେ । ବଡ଼ ଭାଉଜଙ୍କ ଅତି ଆଦରର ଛେଳି ଘରମଣି ଦିନେ ଛଡ଼ ବର୍ଷାରେ ଜଙ୍ଗଲରେ ଚରୁ ଚରୁ କେଉଁଆଡେ ଚାଲିଯିବାରୁ ସେଦିନ ତଅପୋଇଙ୍କୁ ଭାଉଜମାନେ ମିଶି ମାଡ଼ ମାରିଥିଲେ ଏବଂ ଉକ୍ତ ଛେଳିଟିକୁ ନ ଆଣିଲେ ତାଙ୍କର ନାକ କାଟି ଦେବେ ବୋଲି ଧମକ ଦେଇଥିଲେ । ଘରମଣିକୁ ଦିନ ସାରା ଖୋଜିଖୋଜି ନପାଇବାରୁ ଭାଉଜମାନଙ୍କ ଭୟରେ ରାତ୍ରୀ ଦୁଇଘଡି ପର୍ଯ୍ୟନ୍ତ ଜଙ୍ଗଲରେ ରହିଥିଲେ । ତାହା ପୂର୍ବଦିନରୁ ସେ କିଛି ଖାଇ ନଥିବାରୁ ତାଙ୍କ ମୁଣ୍ଡ ଘୂରାଇ ଦେଉଥାଏ ଏବଂ ଶରୀର ଜ୍ଜ୍ୱରରେ କମ୍ପୁଥାଏ । ସେ ଖୁଦଭଜା ମୁଠାଏ ଖାଇ କ୍ଷୁଧା ମେଣ୍ଟାଇବା ପାଇଁ ମାଆ ମଙ୍ଗଳାଙ୍କ ନିକଟରେ ଅନୁନୟ ବିନୟ କରିଥିଲେ । ସେଥିପାଇଁ ଉକ୍ତ ଓଷାର ନାମ ଖୁଦରଙ୍କୁଣୀ ବୋଲି ଖ୍ୟାତ ହୋଇଛି । ଶେଷରେ ବାଳିକାମାନେ ପୂଜା କରୁଥିବା ଖୁଦୁରୁକୁଣୀ କୋଠିରେ ତଅପୋଇ ପହଂଚି ମନ ମଧ୍ୟରେ ମଙ୍ଗଳାଙ୍କୁ ସ୍ମରଣ କରି ଓଷା କଲା । ଭକ୍ତିଭରେ ଖୁଦ ଓ କୁଣ୍ଡାରେ ପିଠା କରି ତାହା ମଧ୍ୟରେ ଖୁଦ, ଚାଉଳର ପୁର ଦେଇ ଭାଇମାନଙ୍କ ମଙ୍ଗଳ ମନାସିବା ସହ ତାଙ୍କର ଶୀଘ୍ର ପ୍ରତ୍ୟାବର୍ତ୍ତନର ଗୁହାରୀ ଜଣାଇ ପାଞ୍ଚ ପାଳି ପୂଜା କଲା । ବିଦେଶରୁ ଭାଇମାନେ ଫେରନ୍ତେ ଛଅ ଭାଉଜଙ୍କ ଅତ୍ୟାଚାର ସମ୍ବନ୍ଧରେ ଟିକ୍ନିକ୍ ଭାବେ କହିଥିଲା । ଛଅ ଭାଉଜଙ୍କୁ ଶାସ୍ତି ଦେବା ଉଦ୍ଦେଶ୍ୟରେ ଭାଇ ଓ ଭଉଣୀ ମିଶି ଯୋଜନା କରିଥିଲେ ଏବଂ ତଅପୋଇଙ୍କୁ ମାଆ ମଙ୍ଗଳାଙ୍କ ବେଶରେ ବୋଇତରେ ସ୍ଥାପନ କରି ସେଠାକୁ ଭାଉଜମାନଙ୍କୁ ଡକାଇ ପ୍ରଣାମ କରାଇଥିଲେ । ସେହି ସମୟରେ ତଅପୋଇ ଧରିଥିବା ଧାରୁଆ ଖଡ୍ଗରେ ଛଅ ଭାଉଜଙ୍କ ନାକ କାଟି ଦେଇଥିଲେ । ପ୍ରକୃତରେ ତଅପୋଇ ଜଣେ ଅଭିଶପ୍ତ ଅପ୍ସରା ଥିଲେ । ତାଙ୍କର ସ୍ୱାମୀ ଚିତ୍ରସେନ ଗନ୍ଧର୍ବ । ସେ ଷୋଳ ବର୍ଷ ପାଇଁ ମର୍ତ୍ତ୍ୟରେ ଜନ୍ମ ନେଇଥିଲେ । ସାତଭାଇ ଯାକ ବିରଞ୍ôଚ ସାଧବର ପୁଅ ରତ୍ନାକରଙ୍କ ସହ ତଅପୋଇଙ୍କ ବିଭାଘର କରାଇଥିଲେ । ଏଣେ ଚିତ୍ରସେନ ଗନ୍ଧର୍ବ ନିଜ ସ୍ତ୍ରୀଙ୍କୁ ପାଇବା ଉଦ୍ଦେଶ୍ୟରେ ଇନ୍ଦ୍ରଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ଇନ୍ଦ୍ର କହିଲେ-ତଅପୋଇର ଷୋଳ ବର୍ଷ ପୂରିବା କ୍ଷଣି ତୁମେ ପୁଷ୍ପକ ବିମାନରେ ତାଙ୍କୁ ଅଦୃଶ୍ୟରେ ଘେନି ଆସିବ । ପୁଷ୍ପକ ବିମାନ ସ୍ୱର୍ଗରେ ଅଦୃଶ୍ୟ ଅବସ୍ଥାରେ ଥିଲା । ରତ୍ନାକର ଓ ତଅପୋଇ ଆସିବା ବାଟରେ ଚିତ୍ରସେନ ସମସ୍ତଙ୍କୁ ଘଉଡାଇ ତଅପୋଇଙ୍କୁ ନେଇ ସ୍ୱଦେହରେ ସ୍ୱର୍ଗକୁ ଚାଲିଗଲେ । ଖୁଦୁରୁକୁଣୀ ଓଷା ସମ୍ବନ୍ଧରେ ଶ୍ରୀକୃଷ୍ଣ ରୁକ୍ମଣୀଙ୍କୁ କହୁଥିଲେ । ଓଷାର ବିଧି ଏହିପରି-କୁମାରୀମାନେ ପ୍ରାତଃ ସ୍ନାନ ପୂର୍ବକ ଓଦା ବସ୍ତ୍ରରେ ନଦୀ ବା ପୁଷ୍କରିଣୀ କୂଳରେ ବାଲୁକାର ମୂର୍ତ୍ତି ତିଆରି କରି ପୂଜା କରନ୍ତି । ତରାଟ, ମନ୍ଦାର, ଅଶୋକ, ଜାଇ, ଜୁଇ, ମାଳତୀ, ରଙ୍ଗଣୀ, ଚମ୍ପା, କନିଅର ଓ ବଉଳ ଫୁଲକୁ ବିନା ସୂତାରେ ଗୁନ୍ଥି ଚାଙ୍ଗୁଡାରେ ଭରି ଭୋଗ ସାମଗ୍ରୀ ଖଇ, ଉଖୁଡା, ନଡ଼ିଆ, କଦଳୀ, କାକୁଡ଼ି, ଫଳମୂଳ ଆଦି ସହ ପୂଜା କୋଠୀ ନିକଟରେ ପହଞ୍ଚନ୍ତି । ଭାଦ୍ରବ ମାସରେ ପାଞ୍ଚ ପାଳି ରବିବାର ମାନଙ୍କରେ ଉକ୍ତ ଓଷା ପାଳିତ ହୁଏ । ଭକ୍ତିପୂତ ପୂଜାର୍ଚ୍ଚନା, ଓଷା ସମ୍ବନ୍ଧୀୟ ସଂଗୀତ ଗାନ, ପୁଚି ଖେଳ ଆଦି ଓଷ।। ଅଂଶବିଶେଷ ହୋଇଥିବା ବେଳେ ଶେଷରେ ପ୍ରସାଦ ସେବନ କରା ଯାଇଥାଏ । ଏହି ଓଷାକୁ ଗାଁ ଗହଳିରେ ଭାଲୁକୁଣୀ ଓଷା ବୋଲି ମଧ୍ୟ କୁହାଯାଏ । କାରଣ ଏହା ଭାଦ୍ରବ ମାସ କୃଷ୍ଣ ପ୍ରତିପଦ ତିଥିରେ ପାଳନ କରା ଯାଉଥିବାରୁ ଏପରି ନାମକରଣ କରାଯାଇଛି । ବର୍ତ୍ତମାନ ଏହି ପୂଜାକୁ ଖୁବ୍ ଯାକଜମକରେ ରଂଗବେରଂଗୀ ତୋରଣ, ଆଲୋକସଜ୍ଜା, ଡାକବାଜି ଯନ୍ତ୍ର ଆଦି ଦ୍ୱାରା ଅଧିକ ଆକର୍ଷଣୀୟ କରା ଯାଉଥିବା ବେଳେ କୁମାରୀମାନଙ୍କ ସହ ଗ୍ରାମର ପୁରୁଷ ଓ ମହିଳାମାନେ ଉକ୍ତ ପୂଜାରେ ସାମିଲ ହେଉଥିବାର ଦେଖାଯାଉଛି ।
ପଣ୍ଡିତ ହରେକୃଷ୍ଣ ପତି
ପଧାନପଡ଼ା, ବନ୍ତ, ଜି.-ଭଦ୍ରକ
ମୋ.୭୫୦୪୪୨୪୬୦୧.