କୁଲିଆତୁଲ ବନାତ ରବେୟା ବସରିଆର ୬ଷ୍ଠ ଜସନେ ରିଦାୟେ ଫାରେଗା ଉତ୍ସବ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ପଳସିଂହା ପଂଚାୟତର ବଉଳପଡା(ଦୋବନ୍ଧା) ଗ୍ରାମରେ ଅବସ୍ଥିତ କୁଲିଆତୁଲ ବନାତ ରବେୟା ବସରିଆର ୬ଷ୍ଠ ଜସନେ ରିଦାୟେ ଫାରେଗା ଉତ୍ସବ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଅତିଥି ଭାବରେ ଯୋଗଦେଇ ଏହି ମୁସଲିମ ମଦ୍ରାସା ଶିକ୍ଷାନୁଷ୍ଠାନର ଉତରରୋତ୍ତର ଉନ୍ନତି କାମନା କରିବା ସହ ତାହାର ବିଭିନ୍ନ ସମସ୍ୟାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ ନାରୀ ଶିକ୍ଷାର ଅଗ୍ରଗତି ନହେଲେ ସମାଜର ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କହିଥିଲେ । ସାରା ଓଡିଶାରେ ଏକମାତ୍ର ମୁସଲମାନ ସଂପ୍ରଦାୟର ବାଳିକାମାନଙ୍କ ଶିକ୍ଷାଦାନ ନିମନ୍ତେ ଉଦ୍ଦିଷ୍ଟ ଏହି କୁଲିଆତୁଲ ବନାତ ରବେୟା ବସରିଆକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ମଦ୍ରାସା ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଥିବା ଛାତ୍ରୀନିବାସ,ଶ୍ରେଣୀ ଗୃହ ଓ ପାଚେରୀ ନିର୍ମାଣ ନିମନ୍ତେ କେନ୍ଦ୍ରାପଡା ବିଧାୟକ ଓ ସାଂସଦଙ୍କୁ ଅବଗତ କରାଯାଇ ଆବଶ୍ୟକ ସରକାରୀ ପାଣ୍ଠି ଯୋଗାଇ ଦିଆଯିବାର ବନ୍ଦୋବସ୍ତ କରାଯିବ ବୋଲି କହିଥିଲେ । ଅବସରପ୍ରାପ୍ତ ମଦ୍ରାସା ବୋର୍ଡର ସମ୍ପାଦକ ହାଜି ସୟଦ ଅତାମୁଦ୍ଦିନ ଯୋଗଦେଇ କହିଥିଲେ ଯେ ଅତିତରେ ମୁସଲମାନ ସଂପ୍ରଦାୟର ମହିଳା ବା ବାଳିକାମାନଙ୍କୁ ଶିକ୍ଷାଦାନରୁ ବଂଚିତ କରାଯାଉଥିଲା । ଏବେ କିନ୍ତୁ ସମୟ ବଦଳିଛି । ସେମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ନିମନ୍ତେ ଆମେ ସମସ୍ତ ମୁସଲମାନ ଭାଇମାନେ ଏକାଠି ହୋଇ ଆଗେଇଆସି ସହଯୋଗର ହାତ ବଢାଇବାକୁ ପଡିବ । ଏଥିନିମନ୍ତେ ସରକାରଙ୍କୁ ଆବଶ୍ୟକ ସହଯୋଗ ନିମନ୍ତେ ଆମେ ମିଳିତ ଭାବେ ନିବେଦନ କରିବା ଉଚିତ । ଅନ୍ୟମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ନେତା ମୁକ୍ତାର ଖାଁ,ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା,ସୟଦ ଅକମଲ ଅଲ୍ଲୀ,ଅନୁଷ୍ଠାନର ମୁଖ୍ୟ ମୈାଲାନା ଫକିରୁଦ୍ଦିନ ଆସୀ,ମୋଲାନା ତବରେଜ ଆଲମ ମିସବାହୀ,ମୈାଲାନା ଜାକିର ହୋସେନ,ମୈାଲାନା ହାଜି ଅବଦୁଲ ମଜିଦ ଖାଁ,ନାଜିବ ଆଲମ,ଇ.ବାହାଦୁର ରହେମାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଚଳିତବର୍ଷ ଏହି ଶିକ୍ଷାନୁଷ୍ଠାନରୁ ୧୨ଜଣ ଛାତ୍ରୀ ମୈାଲବୀ ଶିକ୍ଷା (ମାଟ୍ରିକ)ସମାପ୍ତ କରିଥିବା ବେଳେ ୯ଜଣ ଛାତ୍ରୀ ଆଲିମା ଶିକ୍ଷା (ଗ୍ରାଜୁଏସନ)ସମାପ୍ତ କରିଥିବାରୁ ସେମାନଙ୍କୁ “ରେଦା”(ଦସ୍ତାର) ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ହରିୟାନାର ମୁଫତି ଆଲିମା ସମା ପରୱିନ, ଭୂବନେଶ୍ୱରର ମତଲୁବା ବେଗମ, ଭଦ୍ରକର ଆସମା ଖାତୁନ, କେନ୍ଦ୍ରାପଡାର ପରୱିନ ବାନୁ, ମୟୁରଭଞ୍ଜର ଖାଲିଦା ପରୱିନ, ଚାନ୍ଦବାଲି ମଲିସରାର ମଜମା ଖାତୁନ, ଯାଜପୁରର ସୟଦା ଫାତମା ଓ ଜଗତସିଂହପୁର ବାଲିବିଶିର କୁଲସୁମ ବେଗମ ପ୍ରମୁଖ ଯୋଗଦେଇ ଶିକ୍ଷା ସମାପ୍ତ କରିଥିବା କୃତି ଛାତ୍ରୀମାନଙ୍କୁ “ରେଦା” ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମିଲତ ଚାରିଟେବୁଲ କମିଟି ଓ ହୁସେନି ମଦତ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ । ଅନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତଥିବାରୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ବିଳମ୍ବରେ ପହଁଚି ଶିକ୍ଷାନୁଷ୍ଠାନ ବୁଲି ଦେଖିବା ସହିତ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରାଙ୍କୁ ଶିକ୍ଷାନୁଷ୍ଠାନର ବିଭିନ୍ନ ସମସ୍ୟା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।


