କୂଅରେ ପଡ଼ି ଶିଶୁ ମୃତ
ଗାଙ୍ଗପୁର,(ଶିବରାମ ଚୌଧୁରୀ): ଆଜି ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ନୂଆଁ ବୋରି ଗ୍ରାମରେ ଏକ ଦେଢ଼ ବର୍ଷର ଶିଶୁ କନ୍ୟା କୂଅରେ ପଡ଼ି ମୃତ୍ୟୁ ବରଣ କରିବା ଘଟଣା ସାରା ଗାଆଁରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ ନୂଆଁ ବୋରି ଗ୍ରାମର ରାମଚନ୍ଦ୍ର ବିଷୋୟୀ ଆଜି ସାଢେ ଗୋଟାଏ ବେଳେ ନିଜ ଝିଅ ରୁପାଲି (୧.୫) କୁ ଧରି ବାଡ଼ି ପଟେ ବସିଥିବା ସମୟରେ କିଛି କାମ ପାଇଁ ଅନ୍ୟ ମନସ୍କ ହୋଇଯାଇଥିଲେ I ଏହି ସମୟରେ ଛୋଟ ଝିଅଟି ଖେଳି ଖେଳି ପଡ଼ୋଶୀ ଗୋବିନ୍ଦ ସ୍ୱାଇଁଙ୍କ କୂଅରେ ଖସି ପଡ଼ିଥିଲା I ଝିଅ ପାଖରୁ ଚାଲି ଯିବାର ଅଧ ଘଣ୍ଟା ପରେ ରାମ ଚନ୍ଦ୍ର ତାକୁ ଆଖପାଖରେ ଖୋଜିଥିଲେ ମଧ୍ଯ ତାକୁ ପାଇ ନଥିଲେ I କିନ୍ତୁ ପରେ ଆଶଙ୍କା କରି ନିଜ କୂଅ ଏବଂ ପଡ଼ୋଶୀ ଗୋବିନ୍ଦଙ୍କ କୂଅରେ କୂଅରେ ଖୋଜିବା ପରେ ସେହି କୂଅରୁ ରୂପାଲିକୁ ମୃତ ଅବସ୍ଥାରେ ପାଇଥିଲେ I ଝିଅର ମୃତ୍ୟୁରେ ବାପା ରାମ ଚନ୍ଦ୍ର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ମାଆ ରିଙ୍କୁ ମୃତ ଝିଅକୁ ଜାବୁଡି ଧରି ବାରମ୍ବାର ବେହୋସ ହୋଇଯିବାର ଦେଖିବାକୁ ମିଳିଥିଲା I ଖବରଟି ଗାଆଁରେ ପ୍ରଚାର ହୋଇଯିବା ପରେ ଗାଆଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ଏହି ଶୋକାକୁଳ ପରିବେଶ ମଧ୍ୟରେ ରୂପାଲିର ଶବକୁ ଗାଆଁ ଶ୍ମଶାନରେ ସଂସ୍କାର କରାଯାଇଥିଲା I