କୃଷି କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ନିର୍ଣ୍ଣୟକୁ
ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ଜନିତ ଲକଡାଉନ ଯୋଗୁ ଦେଶର ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବା ସମୟରେ କୃଷି କ୍ଷେତ୍ରରେ ନୂତନ ସମ୍ଭାବନା ଉଜାଗର ହୋଇଛି । ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହିତ ଗ୍ରାମୀଣ ଅର୍ଥବ୍ୟବସ୍ଥାର ସମୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ନିକଟରେ ଏକାଧିକ ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଠିକଣା ସମୟରେ ସଠିକ ନିଷ୍ପତି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି । କୃଷକମାନଙ୍କୁ ଲାଭ ଏବଂ କୃଷି କ୍ଷେତ୍ରର ଦ୍ରୁତ ପ୍ରଗତି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତି ନବରଙ୍ଗପୁର ଭଳି କୃଷି ପ୍ରଧାନ ଜିଲ୍ଲାର ଚାଷୀମାନେ ସ୍ୱାଗତ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଆଖୁ, ମକା ଓ ଧାନ ଚାଷ ବହୁଳ ମାତ୍ରାରେ ହୋଇଥାଏ । ମୌସୁମୀ ଆଗମନର ଅବ୍ୟବହିତ ପୂର୍ବରୁ ଚାଷୀମାନେ ଖରିଫ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଜମିରେ ହଳ ବୁଲିବା ଆରମ୍ଭ ହୋଇଛି । ମକା, ଆଖୁ ଓ ଧାନ ଚାଷ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏଥର ମୌସୁମୀ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚାଷୀଙ୍କ ମନରେ ଉତ୍ସାହ ରହିଛି । ଏଭଳି ପରିସ୍ଥିତିରେ ଚାଷୀଙ୍କ ଉତ୍ପାଦିତ ଫସଲ ବିକ୍ରୟ ନିମନ୍ତେ ‘ଏକ ରାଷ୍ଟ୍ର ଏକ ବଜାର’ ବ୍ୟବସ୍ଥା ପ୍ରତିଷ୍ଠା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତି ନେବା ପରେ ଚାଷୀମାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି । ମୌସୁମୀ ସ୍ୱାଭାବିକ ରହିଲେ ଓ ଭଲ ଫସଲ ଅମଳ ହେଲେ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରି ନିମନ୍ତେ ଏକ ମୁକ୍ତ ବଜାର ମିଳିପାରିବ । ଫଳରେ ସେମାନେ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇପାରିବେ । କୃଷି କ୍ଷେତ୍ର ପାଇଁ ଏଭଳି ଯୁଗାନ୍ତକାରୀ ନିଷ୍ପତି ଗ୍ରହଣ କରିଥିବାରୁ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଚାଷୀ ପିଂଟୁ ମିଶ୍ର କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ଏଭଳି ନିଷ୍ପତି ସ୍ୱାଗତଯୋଗ୍ୟ ଏବଂ ଏହାଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀ ବିକ୍ରି ଲାଗି ମୁକ୍ତ, ବିକଳ୍ପ ତଥା ବଡ଼ ବଜାର ମିଳିପାରିବ ବୋଲି ସେ ଆଶାବ୍ୟକ୍ତ କରି କହିଛନ୍ତି । ମୌସୁମୀ ଋତୁ ପୂର୍ବରୁ କେନ୍ଦ୍ର ସରକାର ଠିକଣା ସମୟରେ ଏଭଳି ନୀତିଗତ ନିଷ୍ପତି ଗ୍ରହଣ କରିଥିବା ଅନେକ ଚାଷୀ ମତପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇବା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଏହି ନିଷ୍ପତିରେ ଚାଷୀ, ଘରୋଇ ନିବେଶକ ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯାଇଛି । ଜରୁରି ପରିସ୍ଥିତିରେ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ଏଗୁଡ଼ିକର ବିକ୍ରି ଓ ରପ୍ତାନିରେ କୌଣସି କଟକଣା ରହିବ ନାହିଁ । ଫଳରେ କୃଷି କ୍ଷେତ୍ରରେ ନିବେଶ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇବ । ଏହାଛଡ଼ା କେନ୍ଦ୍ର ସରକାର ‘କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ଅଧ୍ୟାଦେଶ ୨୦୨୦’କୁ ମଞ୍ଜୁରି ଦେଇଛନ୍ତି । ଏହି ଅଧ୍ୟାଦେଶ ବଳରେ ଦେଶର କୃଷକମାନଙ୍କୁ ବିଜ୍ଞପିତ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ବାହାରେ ଥିବା ବଜାରରେ କୃଷିଜାତ ଉତ୍ପାଦ ବିକ୍ରି କରିବାର ସୁବିଧା ମିଳିବ । କୃଷକମାନଙ୍କୁ କାରବାର ପାଇଁ ଅତିରିକ୍ତ ସୁଯୋଗ ଉପଲବ୍ଧ ହେବା ଫଳରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ସେମାନଙ୍କୁ ନିଜ ଉତ୍ପାଦର ଭଲ ଦାମ ମିଳିପାରିବ । ଏହା ନିଶ୍ଚିତ ଭାବେ ‘ଏକ ଦେଶ, ଏକ କୃଷି ବଜାର’ ନିର୍ମାଣ ମାର୍ଗ ପ୍ରଶସ୍ତ କରିବ ଏବଂ କଠୋର ପରିଶ୍ରମ କରୁଥିବା ଆମର କୃଷକମାନଙ୍କ ପାଇଁ ସେମାନଙ୍କ ଉତ୍ପାଦର ଇଚ୍ଛାମୁତାବକ ଦାମ ମିଳିବା ସୁନିଶ୍ଚିତ ହୋଇପାରିବ । କୃଷକମାନଙ୍କୁ ପ୍ରକ୍ରିୟାକରଣକାରୀ, ଏଗ୍ରିଗେଟର୍ସ, ପାଇକାରୀ ବିକ୍ରେତା, ବଡ଼ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀଙ୍କ ସହିତ ଯୋଡ଼ି ଏହା ସେମାନଙ୍କୁ ସଶକ୍ତ କରିବ ।


