କୃଷି ବିଭାଗ ଦ୍ୱାରା ଗାରୋଇ ଛକ ଦୋକାନରେ ଚଢାଉ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ ସାର ଦୋକାନ ଉପରେ ପର୍ଯ୍ୟାୟ କ୍ରମେ ଚଢାଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର କୃଷି କାର୍ଯ୍ୟାଳୟ ପକ୍ଷରୁ ଗାରୋଇ ଛକରେ ଥିବା ଏକ ସାର ଦୋକାନ ଉପରେ ଚଢାଉ କରାଯାଇଥିଲା । ତାରକ ସାହୁ ନାମକ ବ୍ୟବସାୟୀଙ୍କ ଦୋକାନରେ ୩୦ବସ୍ତା ୟୁରିଆ ସାର ଗଚ୍ଛିତ ରଖି କଳା ବଜାରରେ ଚାଷୀମାନଙ୍କୁ ବିକ୍ରି କରୁଥିଲେ । ଅଚାନକ କୃଷି କାର୍ଯ୍ୟାଳୟ ପକ୍ଷରୁ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, ଗଜରାଜପୁର ସହ କୃଷି ଅଧିକାରୀ ତୁଷାର ରଂଜନ ସ୍ୱାଇଁ, ଗ୍ରାମ୍ୟ କୃଷି ସେବକ ବିଧାନ ପରିଜା, ସହକାରୀ ବୈଷୟିକ ପ୍ରବନ୍ଧକ ଅଭିଜିତ ସେଠୀ ଆଦି ଦୋକାନ ଉପରେ ଚଢାଉ କରିଥିଲେ । ଦୋକାନରୁ ୩୦ ବସ୍ତା ୟୁରିଆ ସାର ଜବତ କରାଯାଇ ସର୍ବ ସମ୍ମୁଖରେ ସରକାରୀ ମୂଲ୍ୟରେ ଚାଷୀ ମାନଙ୍କୁ ବିକ୍ରି କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ସାର କଳା ବଜାରରେ ବିକ୍ରି ହେଉଥିବା ଓ ଚାଷୀମାନେ ଚଢା ଦରରେ କିଣି ଶୋଷିତ ହେଉଥିବା ପ୍ରସଙ୍ଗରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ବିକ୍ଷୋଭ କରାଯାଉଥିଲା ।


