କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିକୁ ସବୁ ମହଲରୁ ସମର୍ଥନ ପାଇଁ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନନ୍ତ କୁମାର ଦତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆବାହକ ଡ. କେଶବ ଚରଣ ପଣ୍ଡା ଗତ ଛଅମାସ ମଧ୍ୟରେ ଏହି ଜନଦାବିକୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ସୂଚନା ଦେଇଥିଲେ । ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଗତ ଜିଲା ପରିଷଦ ବୈଠକରେ ଏହି ଦାବିକୁ ସର୍ବସମ୍ମତିକ୍ରମେ ସମର୍ଥନ ମିଳିବା ପରେ ୪ଟି ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଇତି ମଧ୍ୟରେ ଅନ୍ୟ ବ୍ଲକ୍ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯିବ । ବାଲେଶ୍ୱର ସହରରେ ଥିବା ପ୍ରାୟ ୧୦ଟି ସାମାଜିକ ସଂଗଠନ ମଧ୍ୟ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, କୃଷିବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକରୁ ଅଧିକ ଜନ ସମର୍ଥନ ପାଇଁ ଆସନ୍ତା ଦୁର୍ଗାପୂଜା ଜିଲାର ସମସ୍ତ ପୂଜା ମଣ୍ଡପ ନିକଟରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ସମ୍ବଳିତ ବ୍ୟାନାର ଲଗାଇବାକୁ ପୂଜାକମିଟିମାନଙ୍କୁ ଅନୁରୋଧ କରାଯିବା ଓ ପ୍ରଚାରପତ୍ର ମାଧ୍ୟମରେ ବ୍ୟାପକ ଜନସମର୍ଥନ ପାଇଁ ଉଦ୍ୟମ କରାଯିବାକୁ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନପତ୍ର ସହ ଏହି ଦାବି ସଂପର୍କରେ ଅବଗତ କରାଇବାକୁ ଓ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଏବଂ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏ ସଂପର୍କରେ ଅବଗତ କରାଯିବାକୁ ନିଷ୍ପତ୍ତି ହୋଇଛି । ଏକ କୃଷି ପ୍ରଧାନ ଜିଲା ଭାବେ ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ସାଙ୍ଗକୁ କୃଷକ ଓ କୃଷିର ବିକାଶ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ବୈଠକରେ ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ଅଭୟ ଚନ୍ଦ୍ର ମିଶ୍ର, ରବିନାରାୟଣ ଭୋଳ, ଅପର୍ଣ୍ଣା ମହାପାତ୍ର, ପ୍ରବୋଧ କୁମାର ପାତ୍ର, ଭୂପତି କୁମାର ପାତ୍ର, ପ୍ରଫୁଲ୍ଲ କୁମାର ଦାସ, ଅନନ୍ତ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବିକୁମାର ପାଣିଗ୍ରାହୀ ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାସ୍କର ଚନ୍ଦ୍ର ପାଢ଼ୀ ଶେଷରେ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ