କେନ୍ଦ୍ରାପଡାରେ ଖୋଲିଲା ଅସ୍ଥାୟୀ କୋଭିଡ ଷ୍ଟଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ମହାମାରୀ କରୋନାକୁ ପ୍ରତିହତ କରିବା ଉଦେଶ୍ୟରେ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀକୁ ଜନସାଧାରଣଙ୍କ ନିକଟରେ ସହଜରେ ଉପଲବ୍ଧ କରିବା ପାଇଁ ଜିଲ୍ଲା ପ୍ରଶାସନ, ଓରମାସ, ମିଶନଶକ୍ତି ଏବଂ ଓଡିଶା ଜୀବିକା ମିଶନର ମିଳିତ ଆନୁକୁଲ୍ୟରେ ସୋମବାର ସହରର କଜଳାସ୍ଥିତ କଳ୍ପନା ଫିଲିଙ୍ଗ ଷ୍ଟେସନ ନିକଟରେ ଏକ ଅସ୍ଥାୟୀ କୋଭିଡ କିଓସ୍କ ଷ୍ଟଲ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟେକ୍ଷ ଉଦ୍ୟମରେ ଖୋଲାଯାଇଥିବା ଏହି ଷ୍ଟଲକୁ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା ସତ୍ୟଭାମା ପ୍ରଧାନ, ମିଶନଶକ୍ତି ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ଓ ଓରମାସର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ କୁମାର ରାଉଳ ମିଳିତ ଭାବେ ଫିତାକାଟି ଉଦଘାଟନ କରିଥିଲେ । ଆଜି ଠାରୁ ଏକମାସ ପର୍ଯ୍ୟନ୍ତ ଏହି ଷ୍ଟଲ ଚାଲିବା ସହ ଏହି ଷ୍ଟଲରେ ମାସ୍କ, ସାନିଟାଇଜର, ହ୍ୟାଣ୍ଡୱାସ ଓ କାଢା ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରଭୃତି ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦିଆଯିବ । ଆବଶ୍ୟକ ପଡିଲେ ଏହି ଷ୍ଟଲର ସମୟସୀମାକୁ ବୃଦ୍ଧି କରାଯାଇପାରେ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଏହି ଷ୍ଟଲକୁ ମାସ୍କ ପ୍ରସ୍ତୁତ କରିଥିବା ଡେରାବିଶି ବ୍ଲକ ଅନ୍ତର୍ଗତ ଗୋଲରହାଟର ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠି ପରିଚାଳନା କରିବେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏ.ପି.ଡି.(ଆର.ଏଚ.) ପୁଷ୍ପଲତା ରାଉତ,ଏ.ପି.ଡି.(ଅର୍ଥ) ମନିଷା ଗୁପ୍ତା,ଡି.ସି.(ସ୍କିଲ) ମୋନାଲିସା ନାୟକ ଏବଂ ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠିର ସଦସ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ