ଓଡ଼ିଶାକୁ ଅଣଦେଖା ; ରାଜ୍ୟରେ ୫ଟି ଉଡ଼ାଣ ଏୟାରପୋର୍ଟ ପାଇଁ ଦାବି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାର ଆଞ୍ଚଳିକ ଯୋଗାଯୋଗକୁ ବ୍ୟାପକ ଓ ବିକଶିତ କରିବା ସହ ସମସ୍ତଙ୍କ ପାଇଁ ଆକାଶପଥକୁ ସୁଗମ ଓ ଏହା ମାଧ୍ୟମରେ ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବାକୁ ଉଡ଼ାଣ ଯୋଜନାରେ ଦେଶରେ ୧୦୦ଟି ଏୟାରଷ୍ଟ୍ରିପକୁ ବିକଶିତ କରିବାକୁ ଯୋଜନା କରିଛନ୍ତି । ଓଡ଼ିଶାରେ ମଧ୍ୟ ତିନୋଟି ଏୟାରଷ୍ଟ୍ରିପ ଏହି ଯୋଜନାରେ ଅଛି ହେଲେ ଆଉ ପାଞ୍ଚୋଟି ଏୟାରପୋର୍ଟ ରଙ୍ଗେଈଲୁଣ୍ଡ।, କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ ଓ ରାସଗୋବିନ୍ଦପୁରରେ ଏହି ଯୋଜନାରେ ସାମିଲ୍ କରି ବିମାନ ଚଳାଚଳକୁ ସୁଗମ କଲେ ଓଡ଼ିଶାର ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନ ବିକାଶରେ ଏକ ମାଇଲଖୁଣ୍ଟ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ନାଗରିକ ସମାଜ, ଆମ ଜନତା ଅଧିକାର ଓ ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ଦାବି କରିଛି । କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ, ରଙ୍ଗେଈଲୁଣ୍ଡା ଓ ରାସଗୋବିନ୍ଦପୁରରେ ଏୟାରଷ୍ଟ୍ରିପ ନିର୍ମାଣ ହେଲେ ଏହା ଓଡ଼ିଶା ତଥା ଦେଶର ବିକାଶରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିହେବ । ସପ୍ତାଶ୍ଚାର୍ଯ୍ୟ କୋଣାର୍କ ଓ ପୁରୀ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ପରିଚୟ ପାଇବ । କଳିଙ୍ଗ ନଗର ଶିଳ୍ପ, ଖଣିର ବିକାଶ ସହ ଯାଜପୁର ଜିଲ୍ଲାର ବୌଦ୍ଧକୀର୍ତ୍ତିର ପ୍ରଚାର ଓ ପ୍ରସାରରେ ସହାୟକ ହେବ । ରଙ୍ଗେଈଲୁଣ୍ଡା ଯୋଗୁ ଗୋପାଳପୁର ବନ୍ଦର, ବେଳାଭୂମି, ବାଣିଜ୍ୟ ଓ ପର୍ଯ୍ୟଟନ ବିକାଶ ସହିତ ପଡ଼ୋଶୀ ରାଜ୍ୟ ମଧ୍ୟ ଲାଭ ପାଇବ । ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଇ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରେ ଉପକୃତ ହେବେ । ପାରାଦ୍ୱୀପ ବନ୍ଦର ସହ ଅନେକ ବଡ଼ ବଡ଼ ଶିଳ୍ପ କାରଖାନାରେ ଏହା ବେଶ ସହାୟକ ହେବ । ସେହିପରି ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ ଶିମିଳପାଳ ଅଭୟାରଣ୍ୟ, ଖଣିଖାଦାନ ବିକାଶ, ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡ଼ିଶାର ଆଦିବାସୀ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଆମ ଜନତା ଅଧିକାରର ରାଜ୍ୟ ଆବାହକ ମନୋଜ ଜେନା, ଓଡ଼ିଶା ନାଗରିକ ସମାଜର ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ଯୁବ ସଂଗଠନର ଅଧ୍ୟକ୍ଷ ନିଳାଞ୍ଚଳ ପାତ୍ର, ସଭ୍ୟ ଶୁଭାଶିଷ ଦାସ, ଆମ ଜନତା ଅଧିକାରର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ ପ୍ରମୁଖ ଦାବି କରି ଏକ ପ୍ରତିନିଧିମଣ୍ଡଳ ରାଜଭବନ ଯାଇ ଓଡ଼ିଶାର ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୂପ ଦାବି କରିବାକୁ ସଂଗଠନ ଅନୁରୋଧ କରିଛି ।


