କେନ୍ଦ୍ରାପଡାରେ ବ୍ୟକ୍ତିଗତ ବିବାଦକୁ ସାଂପ୍ରଦାୟିକ ରୂପ ଦିଆନଯାଉ
କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍ ) : କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଚଂଳରେ ବିଭିନ୍ନ ସମୟରେ ବ୍ୟକ୍ତିଗତ କଳହ ଓ ବିବାଦକୁ ସାଂପ୍ରଦାୟିକତାର ରୂପ ଦିଆଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପ୍ରଶାସନ ଓ ପୋଲିସର ଉପଯୁକ୍ତ ପରିଚାଳନାର ଅଭାବ ଏବଂ ଆବଶ୍ୟକ କୈାଶଳଗତ ତୃଟି ଯୋଗୁ ସାମାନ୍ୟ ସମସ୍ୟାକୁ ନେଇ ସାଂପ୍ରଦାୟିକ ତଥା ଉତେଜନାମୁଳକ ପରିସ୍ଥିତି ସୃଷ୍ଟି ହେବା ଅତ୍ୟନ୍ତ ଦୁଃଖଦାୟିକ କଥା ବୋଲି ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କୁ ଭେଟି ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା,କାର୍ୟ୍ୟକାରି ସଭାପତି ପ୍ରଫୁଲ୍ଲ କୁମାର ଦାସ,ମୁକ୍ତାର ଖାଁ,ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି,ସିପିଆଇର ବାବାଜୀ ଧଳ,ସିପିଆଇ (ଏମ) ଜିଲ୍ଲା ସାଧାରଣ ସଂପାଦକ ଗୟାଧର ଧଳ ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନେ ଆହୁରି କହିଥିଲେ ଯେ ଏଭଳି ପରିସ୍ଥିତି ଯୋଗୁ ସାଧାରଣ ଜନଜୀବନ ବିପର୍ୟ୍ୟସ୍ତ ଓ ଦୁର୍ବିସହ ହୋଇପଡୁଛି । ଫଳରେ ବିଭିନ୍ନ ବର୍ଗର ଲୋକମାନେ ଦୈନନ୍ଦିନ ଜୀବିକା ନିର୍ବାହ କରିପାରୁନାହାନ୍ତି । ବିଭାଜନକାରୀ ଏବଂ ସାଂପ୍ରଦାୟିକଶକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏଭଳି ପରିସ୍ଥିତି ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତି କରାଯିବାକୁ ସେମାନେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ନଚେତ ସେହି ଶକ୍ତି ଗୁଡିକ ଅଧିକ ଉତ୍ସାହିତ ହୋଇ କେନ୍ଦ୍ରାପଡାରେ ଆହୁରି କିଛି ଅସାମାଜିକ କାର୍ୟ୍ୟ କରିବାକୁ ପଛାଇବେନାହିଁ । ଏକ ପୂର୍ଣ୍ଣାଙ୍ଗ ଶାନ୍ତି କମିଟି ଗଠନ କରାଯିବା ପାଇଁ ସେମାନେ ଦାବି କରିଥିଲେ ।