କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଚୟନକୁ ନେଇ ଅପପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଚୟନକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଅପପ୍ରଚାର କରାଯାଉଛି । କିନ୍ତୁ ପ୍ରକୃତ ଘଟଣା ଭିନ୍ନ ଥିବା ସୂଚନା ମିଳିଛି । ଗତ ଅପ୍ରେଲମାସ ୩୦ତାରିଖରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଡଃ. ତ୍ରିପାଠୀଙ୍କ ଅବସର ପରେ କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କୁ କଲେଜ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟୀତ୍ୱ ହସ୍ତାନ୍ତର କରିଥିଲେ । କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀଙ୍କ ଅବସର ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକ୍ରମେ କଲେଜ ପକ୍ଷରୁ ପ୍ରଫେସର ବେହେରାଙ୍କ ନାମ ସମେତ ୪ଜଣ ବରିଷ୍ଠ ପ୍ରାଧ୍ୟାପକଙ୍କ ନାମ କଲେଜ ଅଧ୍ୟକ୍ଷ ପଦ ପାଇଁ ପଠାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୪ମସିହାରେ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସମେତ ରାଜ୍ୟର ଅନ୍ୟ କେତେକ ଅଧ୍ୟାପକଙ୍କ ନାମରେ ସରକାରୀ କାଗଜପତ୍ରକୁ ଜାଲକରି ୟୁଜିସି ବେତନ ପାଇଥିବା ଅଭିଯୋଗକୁ ନେଇ ଏକ ଭିଜିଲାନ୍ସ ମାମଲା ରୁଜୁ କରାଯିବା ସହ ସେମାନଙ୍କ ସେବାପୁସ୍ତିକା ଗୁଡିକୁ ଭିଜିଲାନ୍ସ ବିଭାଗ ଜବତ କରିଥିଲା । ଏହାମଧ୍ୟରେ କେନ୍ଦ୍ରାପଡା କଲେଜ ପରିଚାଳନା ପରିଷଦ ସଦସ୍ୟ ପାଇଁ ଉଚ୍ଚଶିକ୍ଷା ବିଭାଗକୁ କଲେଜ ପକ୍ଷରୁ ନାମ ପଠାଯିବା ବେଳେ ସେବା ପୁସ୍ତିକା ଭିଜିଲାନ୍ସ ବିଭାଗ ପାଖରେ ଥିବାରୁ କଲେଜର ବରିଷ୍ଠ ପ୍ରଫେସର ବେହେରାଙ୍କ ନାମ ପଠାଯାଇନଥିଲା । ଏହି ଘଟଣାର ୮ବର୍ଷ ପରେ ଅର୍ଥାତ ୨୦୨୧ମସିହାରେ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ କୈାଣସି ଅଭିଯୋଗ ଫର୍ଦ୍ଦ ଦାଖଲ କରିନପାରିବାରୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶରେ ପ୍ରଫେସର ବେହେରାଙ୍କ ସେବାପୁସ୍ତିକାରେ କୈାଣସି ନକରାତ୍ମକ ମନ୍ତବ୍ୟ ନଦେଇ ଫେରାଇ ଦେଇଥିଲେ । ତେଣୁ କଲେଜର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ପ୍ରଫେସର ବେହେରାଙ୍କ ନାମ ସମେତ ଅନ୍ୟ ୩ଜଣ ବରିଷ୍ଠ ପ୍ରଫେସରଙ୍କ ନାମ କଲେଜ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ପଠାଯାଇଥିଲା । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପ୍ରଫେସର ବେହେରାଙ୍କ ନାମରେ ଥିବା ଭିଜିଲାନ୍ସ କେଶକୁ ନେଇ କଲେଜ ପରିଚାଳନା ପରିଷଦର ସଭାପତିଙ୍କ ଠାରୁ ଏକ ସ୍ପଷ୍ଟିକରଣ ମାଗିଥିଲା । ଏସମ୍ପର୍କ ରେ କଲେଜ ପରିଚାଳନା ପରିଷଦର ସଭାପତି ତାଙ୍କର ସ୍ପଷ୍ଟିକରଣ ଉଚ୍ଚଶିକ୍ଷା ବିଭାଗକୁ ପଠାଇ ସାରିଛନ୍ତି । ଅନ୍ୟପକ୍ଷରେ ସେହି ତାଲିକାରେ ଥିବା ଅନ୍ୟତମ ପ୍ରାଧ୍ୟାପକ ସଞ୍ଜୀବ କୁମାର ମହାନ୍ତି ଏହି କଲେଜରେ ଗତ ମାର୍ଚ୍ଚ ୨୦୨୧ରେ ଯୋଗଦେଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ମୂଳ ସେବାପୁସ୍ତିକାଟି ଏହି କଲେଜକୁ ଆସିନାହିଁ । ଫଳରେ ବିଭିନ୍ନ ସମୟରେ ବିଭାଗୀୟ ଆବଶ୍ୟକତା ଏବଂ କଲେଜର ଆବଶ୍ୟକତା ବେଳେ ବିଭିନ୍ନ ସମସ୍ୟା ଉପୁଜିବାରେ ବର୍ତ୍ତମାନର ଭାରପ୍ରାପ୍ତ କଲେଜ ଅଧ୍ୟକ୍ଷ ପ୍ରଫେସର ମହାନ୍ତିଙ୍କ ପୂର୍ବସ୍ଥାନ ଚୈାଦ୍ୱାର କଲେଜକୁ ଏସମ୍ପର୍କରେ ଏକ ପତ୍ର ଲେଖି ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ନିବେଦନ କରିଥିଲେ । କିନ୍ତୁ ସଂପୂର୍ଣ୍ଣ ଘଟଣାକୁ ଅନ୍ଧାରରେ ରଖାଯାଇ ଦୁଇଟି ଚିଠିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ ପରେ ସମସ୍ତ କଥା ଲୋକଲୋଚନକୁ ଆସିପାରିବ ।


