କେନ୍ଦ୍ରାପଡା କଲେଜ ଜମିରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ସତ୍ୱେ ବେଆଇନ ନିର୍ମାଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜମିରେ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ସ୍ଥିତାବସ୍ଥା ସତ୍ୱେ ଟାଉନ ଥାନା ପୋଲିସର ନିଷ୍କ୍ରୀୟତା ଯୋଗୁଁ ବେଆଇନ ନିର୍ମାଣ କାର୍ଯ୍ୟ କରାଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା କଲେଜ ଜମିକୁ ବେଆଇନ ଭାବେ କିଣିଥିବା ଘଟଣାକୁ ନେଇ କଲେଜ ପକ୍ଷରୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ସିଏଲପି ନମ୍ବର – ୩୬୨/୨୦୧୮ରେ ଏକ ମାମଲା ଦାୟର କରାଯାଇଥିଲା । ସେହି ମାମଲାରେ ମିସକେଶ ନମ୍ବର ୩୭୧/୨୦୧୮ରେ କେନ୍ଦ୍ରାପଡା ସହରର କଜଳା ମୈାଜାରେ ଥିବା ଖାତା ନମ୍ବର ୧୩୨,ପ୍ଲଟ ନମ୍ବର ୬୯ର ର କ ବା ଏ ୧.୨୮୦ଡିସିମିଲ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଓଡିଶା ଉଚ୍ଚ ନ୍ୟାୟାଳୟ ୨୦୧୮ମସିହା ମାର୍ଚ୍ଚମାସ ୨୧ତାରିଖରେ ନିର୍ଦେଶ ଦେଇଥିଲେ । କିନ୍ତୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ଇଟିପୁର ଗ୍ରାମର ହରେକୃଷ୍ଣ ପ୍ରଧାନ ନାମକ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅମାନ୍ୟ କରି ସ୍ଥିତାବସ୍ଥା ଜାରି କରାଯାଇଥିବା ଉପରୋକ୍ତ ଜମି ଉପରେ ବେଆଇନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ କଲେଜ ପକ୍ଷରୁ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କେନ୍ଦ୍ରାପଡା ଟାଉନ ଥାନାରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶର ନକଲ ସହିତ ଏକ ଲିଖିତ ଅଭିଯୋଗପତ୍ର ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ଗତ ମଇମାସ ୧୮ତାରିଖରେ ପ୍ରଦାନ କରିଥିଲେ । ଏଥିସହିତ ଉକ୍ତ ଅଭିଯୋଗର ନକଲ ଓ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶର ନକଲ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଓ ପୋଲିସ ମହାନିର୍ଦେଶକ ପ୍ରମୁଖକଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ସେହି ଅଭିଯୋଗ ଉପରେ ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ପୁନର୍ବାର ଗତ ମଇମାସ ୨୦ତାରିଖରେ କଲେଜ ଅଧ୍ୟକ୍ଷଙ୍କ ସହିତ ଅଧ୍ୟାପକ ରଞ୍ଜିତ କୁମାର ଦାସ ଓ ଅନ୍ୟ ୨ଜଣ ଅଧ୍ୟାପକ ଟାଉନ ଥାନା ଅଧିକାରୀ ଶ୍ରୀ ସାମନ୍ତରାୟଙ୍କୁ ଭେଟିବାରେ ଶ୍ରୀ ସାମନ୍ତରାୟ କହିଲେ ଯେ ଆପଣ ସିଧା ପୋଲିସକୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଆଣିଲେ ଯାଇଁ ପୋଲିସ ଘଟଣାସ୍ଥଳକୁ ଯାଇ ସେହି ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବ । ଏହାପରେ କଲେଜ ପକ୍ଷରୁ ଅଧ୍ୟକ୍ଷ ଓ ଅନ୍ୟମାନେ ଗତ ମଇମାସ ୨୨ତାରିଖରେ ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇ ବେଆଇନ ନିର୍ମାଣ ବନ୍ଦ କରାଯିବାକୁ ନିବେଦନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର କରୋନା କାର୍ଯ୍ୟରେ ବ୍ୟସ୍ତ ରହି କଲେଜର ଏହି ସମସ୍ୟା ଉପରେ ଧ୍ୟାନଦେଇପାରିନଥିଲେ । ଟାଉନ ଥାନା ପୋଲିସର ନିଷ୍କ୍ରୀୟତାର ସୁଯୋଗ ନେଇ ଇଟିପୁର ଗ୍ରାମର ଶ୍ରୀ ପ୍ରଧାନ ଓ ତାଙ୍କ ପରିବାର ରାତିରେ ଗତ ମଇମାସ ୧୮ତାରିଖରୁ ଜୁନମାସ ୩ତାରିଖ ମଧ୍ୟରେ ଗୃହର ଛାତପତନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ସକ୍ଷମ ହେଲେ । କଲେଜ ପକ୍ଷରୁ ପୁନର୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ମଧ୍ୟ ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାମଲ ଓ ଅନ୍ୟମାନେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ବୁଧବାର ଭେଟି କଲେଜ ଜମିରେ ଏଭଳି ବେଆଇନ ନିର୍ମାଣ କାର୍ଯ୍ୟ ବିରୋଧରେ ଲିଖିତ ଅଭିଯୋଗ କଲେ । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଟାଉନ ଥାନା ଅଧିକାରୀଙ୍କୁ ପତ୍ରସଂଖ୍ୟା ୨୪୭୪ତା ୪.୦୬.୨୦୨୦ତାରିଖରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶକୁ ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଥିଲେ ।ଏସବୁ ପରେବି ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ପକ୍ଷରୁ ଶୁକ୍ରବାର ସେହି ବେଆଇନ ନିର୍ମିତ ଗୃହ ଉପରେ ଛାତ ପକାଇବାକୁ ଉଦ୍ୟମ କରିବାରେ କଲେଜ ପକ୍ଷରୁ ଟାଉନ ଥାନା ଅଧିକାରୀଙ୍କୁ ଜଣାଇଦିଆଯାଇଥିଲା । ଟାଉନ ଥାନା ଏ.ଏସ.ଆଇ.ଶରତ କୁମାର ବାରିକ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଁଚି ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶ ଅନୁଯାଇ ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ କହିଥିଲେ । ନଚେତ ପୋଲିସ ବାଧ୍ୟ ହୋଇ ଆଇନଗତ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାଇ ଦେବାରେ ସଂପୃକ୍ତ ପରିବାରର ସଦସ୍ୟମାନେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଘଟଣାସ୍ଥଳରେ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀ,ଅଧ୍ୟାପକ ରଞ୍ଜିତ କୁମାର ଦାସ,ଅଧ୍ୟାପକ ଜ୍ଞାନୀନ୍ଦ୍ର ଦାଶଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ,ଶିକ୍ଷାକର୍ମଚାରୀ, ଜିଲ୍ଲା ବିକାଶ ସାମ୍ମୁଖ୍ୟର ସମ୍ପାଦକ ତଥା କଲେଜର ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ଅଜୟ ସାମଲ, ରାଜେଶ ପଣ୍ଡା, ଚିତ୍ତରଞ୍ଜନ ଦାସ, ମନୋରଞ୍ଜନ ସାହୁ ପ୍ରମୁଖ ପହଁଚି ଏଭଳି ବେଆଇନ ନିର୍ମାଣ କାର୍ଯ୍ୟର ବିରୋଧ କରିଥିଲେ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଭଳି ଓଡିସାର ସର୍ବପୁରାତନ ତଥା ସର୍ବବୃହତ ବେସରକାରୀ ମହାବିଦ୍ୟାଳୟର ଜମି ଉପରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାନଗଲେ ଆଗାମୀ ଦିନରେ ଏନେଇ ଏକ ବିରାଟ ଆନ୍ଦୋଳନ ଯେ ମୁଣ୍ଡ ନଟେକିବ ତାହା କହିହେବ ନାହିଁ । ହାଇକୋର୍ଟଙ୍କ ସ୍ଥିତାବସ୍ଥାକୁ ବଜାୟ ରଖିବାରେ ପୋଲିସର ନିଷ୍କୀୟତା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏସପି, ଏସଡିପିଓଙ୍କ ଠାରୁ ଆରମ୍ଭ କରି ଟାଉନ ଥାନା ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇ ଦିଆଯାଇଥିଲେବି ଏନେଇ ପୋଲିସର ନିଷ୍କ୍ରୀୟତା ଅତ୍ୟନ୍ତ ନିନ୍ଦନୀୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ