କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି କର୍ମଚାରୀ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି କର୍ମଚାରୀ ସଙ୍ଘ ପକ୍ଷରୁ ସୋସାଇଟିର ସଭାପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସୋସାଇଟିର କର୍ମଚାରୀମାନଙ୍କ ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ସଙ୍ଘର ନିଷ୍ପତ୍ତି କ୍ରମେ ଏକ ୪ଜଣିଆ କମିଟି ଗଠନ କରାଯାଇଛି । ସେହି କମିଟି କର୍ମଚାରୀମାନଙ୍କ ବେଆଇନ ବଦଳି, ନିଲମ୍ବନ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସଙ୍ଘରେ ଆଲୋଚନା କରିବା ସହିତ ସୋସାଇଟି କତ୍ତୃପକ୍ଷଙ୍କ ଦୃଷ୍ଟି ିଆକର୍ଷଣ କରିବ । କର୍ମଚାରୀ ସଙ୍ଘ ପକ୍ଷରୁ ଗତ ଅଗଷ୍ଟମାସ ୩ତାରିଖରେ ପତ୍ର ଲେଖାଯାଇଥିଲେବି ଅଦ୍ୟାବଧି ସୋସାଇଟିର ଉପବିଧି (ବାଇଲ)ସର୍ଭିସ ରୁଲ ବା ବିଜନେସ ରୁଲ ସଙ୍ଘକୁ ଉପଲବ୍ଧ କରାଯାଇନାହିଁ । ସଙ୍ଘର ସଦସ୍ୟ କର୍ମଚାରୀମାନେ ସୋସାଇଟି ଆରମ୍ଭ ଦିନରୁ ଅଦ୍ୟାବଧି ସୋସାଇଟିର ନିୟମାବଳୀ ସମ୍ପର୍କରେ ଅବଗତ ନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ବର୍ଷ ଧରି କର୍ମଚାରୀଙ୍କ ବିରୋଧରେ ପଡିରହିଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ସମିତି ପ୍ରତ୍ୟାହାର କରିନେବା, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଚାକିରୀ ସର୍ତ୍ତାବଳୀ ଓ ସମିତିର ସମସ୍ତ ନୀତି ନିୟମ ଉପରେ ପୃଥକ ପୃଥକ ଭାବେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯିବା, ସଙ୍ଘର ସଦସ୍ୟ ଥିବା କର୍ମଚାରୀଙ୍କୁ ବିନା କାରଣରେ ଆକ୍ରୋଶ ମୂଳକ ଭାବେ କରାଯାଉଥିବା ବଦଳିକୁ ବନ୍ଦ କରାଯିବା, ରାଜ୍ୟ ସରକାରଙ୍କ ବଦଳି ନିୟମକୁ ସମିତିରେ କାର୍ଯ୍ୟକାରୀ କରାଯିବା, ସବୁ କର୍ମଚାରୀଙ୍କ ପାଇଁ ସମାନ ନୀତି ନିୟମ ଲାଗୁ କରାଯିବା, ଗୋଷ୍ଠି ବିବାଦକୁ ପ୍ରୋତ୍ସାହନ ଦିଆନଯିବା, ସଙ୍ଘର ସଭାପତିଙ୍କୁ ଆକ୍ରୋଶମୂଳକ ଭାବେ ନିଲମ୍ବିତ କରାଯାଇ ତାଙ୍କୁ ଅସୁବିଧାରେ ପକଇବା ପାଇଁ ମୁଖ୍ୟାଳୟ ଯାଜପୁର ଶାଖାକୁ କରାଯିବା ଘଟଣାର ତୁରନ୍ତ ସମାଧାନ କରାଯିବା ସହ ୨୮ଦିନ ମଧ୍ୟରେ ନିଲମ୍ବନ ପ୍ରତ୍ୟାହାର କରାଯିବାକୁ ସଙ୍ଘ ପକ୍ଷରୁ ସୋସାଇଟିର ସଭାପତିଙ୍କ ନିକଟରେ ଦାବି କରାଯାଇଛି । ସଙ୍ଘ ପକ୍ଷରୁ ଗଠିତ ୪ଜଣିଆ କମିଟି ସେହି ଘଟଣାର ତଦନ୍ତ କରିବା ପରେ ଜାଣିବାକୁ ପାଇଛି ଯେ ନିଲମଗନ ବେଳେ ଓ ପରବର୍ତ୍ତୀ ସମୟରେ ସଙ୍ଘର ସଭାପତିଙ୍କୁ ପ୍ରଦାନ କରାଯାଇଥିବା ପତ୍ରରେ କୈାଣସି ତାଳମେଳ ରହୁନାହିଁ । ତେଣୁ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଦାବି ଗୁଡିକ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ସଙ୍ଘ ପକ୍ଷରୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଙ୍ଘର ସାଧାରଣ ସମ୍ପାଦକ ରାଜଦୀପ ପଢିଆରୀ ଓ ଉପସଭାପତି ମଧୁପର୍ଣ୍ଣା ବେହେରା ସଭାପତି ପ୍ରମୋଦ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ସୂଚନା ଦେଇ କହିଛନ୍ତି । ଏହି ଦାବିପତ୍ରର ନକଲ ରାଜ୍ୟ ଶ୍ରମକମିଶନର, ରାଜ୍ୟ ସମବାୟ ନିବନ୍ଧକ, ଜିଲ୍ଲାପାଳ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକ, ଡି.ଆର.ସି.ଏସ. -୧ ଓ ୨, ଜିଲ୍ଲା ଶ୍ରମ ଅଧିକାରୀ, କେନ୍ଦ୍ରାପଡା ଏବଂ ଏ.ଆର.ସି.ଏସ.କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ କଟକଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ