କେନ୍ଦ୍ରାପଡା ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାରତୀୟ ଡାକ କର୍ମଚାରୀ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଦେଶବ୍ୟାପି ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଡିଭିଜନାଲ ଶାଖା ପକ୍ଷରୁ କେନ୍ଦ୍ରାପଡା ଡାକ ଡିଭିଜନର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣା ଦିଆଯାଇଥିଲା । ସରକାରୀ ବିଭାଗ ଓ ସମ୍ପତ୍ତିର ବ୍ୟାପକ ଘରୋଇକରଣ ଏବଂ ସରକାରଙ୍କ କର୍ମଚାରୀମାରଣ ନୀତିର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ୨୨ଟି ଦାବିକୁ ନେଇ ଅନୁଷ୍ଠିତ ଏହି ଧର୍ମଘଟରେ ପ୍ରମୁଖ ଦାବି ଗୁଡିକ ହେଉଛି ନୂତନ ପେନସନ ସ୍କିମ ବଦଳରେ ପୁରୁଣା ପେନସନ ସ୍କିମ ଲାଗୁ କରାଯିବା, ସରକାରୀ ସଂସ୍ଥା, ଅନୁଷ୍ଠାନ, ବିଭାଗ ଓ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଗ୍ରାମୀଣ ଡାକସେବକମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା, କର୍ମଚାରୀମାନଙ୍କ ୧୮ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ କରାଯିବା, ପ୍ରସ୍ତାବିତ ଡାକମିତ୍ର ବ୍ୟବସ୍ଥାକୁ ପ୍ରଚଳନ ନକରିବା, ନୂତନ ଟ୍ରେଡ ୟୁନିଅନ ଆଇନ ପ୍ରତ୍ୟାହାର କରିବା ପ୍ରଭୃତି ଦାବି ଗୁଡିକ ରହିଛି । ଏହି ଧର୍ମଘଟରେ ମଣ୍ଡଳ ସଭାପତି ଜ୍ଞାନଚାନ୍ଦ ପରିଡା, ମଣ୍ଡଳ ସମ୍ପାଦକ ଜ୍ୟୋତିରଞ୍ଜନ ବେହେରା, ପୂର୍ବତନ ମଣ୍ଡଳ ସମ୍ପାଦକ ଶାରଦା ପ୍ରସାଦ ଦାସ, କେନ୍ଦ୍ରାପଡା ଡିଭିଜନାଲ ସମ୍ପାଦକ ବିଜୟ କିଶୋର ଦାସ, ହିମାଂଶୁ ଶେଖର ନାୟକ, ସୂର୍ଯ୍ୟକାନ୍ତ ସାମଲ, ଅଶୋକ କୁମାର ପଣ୍ଡା, ଶ୍ରୀଧର ସାହୁ, ଭଞ୍ଜକିଶୋର ସାହୁ ପ୍ରମୁଖ ସଙ୍ଘର କର୍ମକର୍ତ୍ତାମାନେ ଯୋଗଦେଇ କେନ୍ଦ୍ରାପଡାରେ ଧର୍ମଘଟକୁ ସଫଳ କରାଇଥିଲେ ।