କେନ୍ଦ୍ରାପଡା ମହାବିଦ୍ୟାଳୟରେ ପଙ୍ଖା ଖସି ଛାତ୍ର ଆହତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶ୍ରେଣୀଗୃହରେ ପଙ୍ଖା ଖସି ଜଣେ ଛାତ୍ର ଆହତ ହୋଇଛିି । ଆହତ ଛାତ୍ରଙ୍କ ନାମ ହେଉଛି ରାକେଶ କୁମାର ସେଠୀ । ସେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନରେ ଅଧ୍ୟୟନ କରୁଛନ୍ତି । ଆଜି ସେ ଉଦ୍ଭିଦ ବିଜ୍ଞାନ ବିଭାଗ ଶ୍ରେଣୀ ଗୃହରେ ବସି କ୍ଲାସ କରୁଥିବା ବେଳେ ହଠାତ ଏକ ପଙ୍ଖା ସିଲିଂରୁ ଖସିପଡିଥିଲା । ଏଥିରେ ତାଙ୍କ ମୁଣ୍ଡ ଓ ଆଖି ପତାରେ କ୍ଷତ ସୃଷ୍ଟି ହୋଇଛି । କଲେଜ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ରାକେଶଙ୍କ ପରିବାର ପକ୍ଷରୁ ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି । ରାକେଶଙ୍କ ମା’ କହିଛନ୍ତି କଲେଜ କର୍ତ୍ତୃପକ୍ଷ ନିୟମିତ ଭାବେ ବୈଦୁତିକ ସାମଗ୍ରୀର ଅବସ୍ଥା କିପରି ଅଛି ତାହାକୁ ଯାଞ୍ଚ କରିବା କଥା । କାରଣ କଲେଜକୁ ଯେଉଁ ଅନୁଦାନ ମିଳୁୁଛି ତାହାକୁ ସଠିକ ଭାବେ ବିନିଯୋଗ କରାଯାଉନାହିଁ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମହାବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିଜିତ ବୋଷଙ୍କୁ ପଚାରିବାରେ ସେ କହିଛନ୍ତି ଏହି ଘଟଣା ପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ । ଘଟଣା ଘଟିବା ପରେ ସଂପୃକ୍ତ ଛାତ୍ରଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ଛାତ୍ରଙ୍କ ଘର ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ଗ୍ରାମରେ ବୋଲି ଜଣାପଡିଛି ।


