କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ଓ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ସମାରୋହ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ୱନକ୍ଷତ୍ର ଦିବସ ଓ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ସମାରୋହ ମହାବିଦ୍ୟାଳୟ ପରିସରରେ ଅନୁ୍୍୍ଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଡା. ବାସୁଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ଉପାନ୍ତ ଅଞ୍ଚଳ ସହିତ ଭାବଗତ, ଭାଷାଗତ ଓ ସାଂସ୍କୃତିକ ସମ୍ପର୍କ ମଜଭୁତ କଲେ ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ । କୃଷକକୁ ସମ୍ମାନ ଓ ଝିଅମାନେ ଅଧିକ ଶିକ୍ଷିତ ହେଲେ ସମାଜ ଶିକ୍ଷିତ ହେବା ସହ ଦେଶର ବିକାଶ ସମ୍ଭବ । ଛାତ୍ରଛାତ୍ରୀମାନେ ହିଁ କେବଳ ଗଣତନ୍ତ୍ରକୁ ସୁରକ୍ଷା ଦେଇପାରିବେ । ମହାବିଦ୍ୟାଳୟର ଭିତ୍ତିଭୂମୀର ବିକାଶ ସହିତ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । କଲେଜ କ୍ୟାଣ୍ଟିନ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଏବଂ ମୁକ୍ତ ପ୍ରେକ୍ଷାଳୟ ନିର୍ମାଣ ପାଇଁ ୧୫ଲକ୍ଷ ଟଙ୍କାର ଅନୁଦାନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଯୋଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ଘୋଷଣା କରିଥିଲେ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରସ୍ଥିତ ନବକୃଷ୍ଣ ଚୈାଧୁରୀ ଉନ୍ନୟନ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ପ୍ରଫେସର କିଶୋର ଚନ୍ଦ୍ର ସାମଲ ଯୋଗଦେଇ ଶିକ୍ଷାର ଆଶୁ ଘରୋଇକରଣ ସମ୍ପର୍କରେ ହେଉଥିବା ସରକାରୀ ପଦକ୍ଷେପକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥଲେ । ଏଥିସହିତ ରାଷ୍ଟ୍ର ପ୍ରାୟୋଜିତ ଶିକ୍ଷାନୁଷ୍ଠାନକୁ ବଞ୍ଚାଇ ରଖିବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ. ସଚିଦାନନ୍ଦ ମହାନ୍ତି ଯୋଗଦେଇ ନିଷ୍ଠାପର ଭାବେ ସ୍ଥାନୀୟ ମହିୟସୀ ମହିଳାମାନଙ୍କ ଜୀବନଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜାତୀୟ ପୁରସ୍କାରପ୍ରାପ୍ତ ବାନ୍ଧକଳା ଶିଳ୍ପୀ ସୁକାନ୍ତି ମେହେରଙ୍କୁ ‘ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିôଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବାନ୍ଧକଳା ସମ୍ପର୍କରେ ଅବଗତ କରାଇବାକୁ ଏକ କର୍ମଶାଳା ମହାବିଦ୍ୟାଳୟ ପରିସରରେ ଆୟୋଜନ କରିବାକୁ ଶ୍ରୀମତୀ ମେହେର ତାଙ୍କ ବକ୍ତବ୍ୟରେ କଲେଜ ପରିଚାଳନା ପରିଷଦକୁ ନିବେଦନ କରିଥିଲେ । ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ଅତିଥ ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କ୍ୟାପଟେନ ସୀମା ମହାନ୍ତି ମଞ୍ଚ ସଂଚାଳନ କରିଥିବା ବେଳେ ଅଧ୍ୟାପିକା ପୂର୍ବାସା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର କ୍ୟାମ୍ପସ ବୁଲେଟିନ “କମୁନିକ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥିସହିତ ୨୦୨୨ଶିକ୍ଷା ବର୍ଷର ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାଧ୍ୟାପକ ଜ୍ଞାନୀନ୍ଦ୍ର ଦାସ, ଡଃ. ପ୍ରଭାକର ମଲ୍ଲିକ, ମେଜର ମନୋରଞ୍ଜନ ମହାନ୍ତି, ଅଶୋକ କୁମାର ଦାସ, ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ଡଃ. ଦେବକାନ୍ତ ଷଡଙ୍ଗୀ, ଅଚ୍ୟୁତାନନ୍ଦ ମହାରଣା, ଜ୍ଞାନରଞ୍ଜନ ଦାସ, ରାକେଶ କୁମାର ପ୍ରଧାନ, ସତ୍ୟପ୍ରକାଶ ମିଶ୍ର, ତୁଷାରକାନ୍ତ ଭୂୟାଁ, ପ୍ରଶାନ୍ତ ସାହୁ, ଡଃ. ରତ୍ନମଞ୍ଜରୀ ଦାସ, ଆକାଂକ୍ଷା ଆନନ୍ଦିତା ନାୟକ, ଡଃ. ଦେବେନ୍ଦ୍ର ଗୋଛାୟତ, ରମାନାଥ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, କୈଳାସ ଚନ୍ଦ୍ର ବରାଳ, ବିନ୍ଦୁମିତ୍ର ବଳ, ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପୂର୍ବତନ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଅଜୟ କୁମାର ସାମଲ, ରାମଚନ୍ଦ୍ର ପାତ୍ର, ତପନ କୁମାର ପତି ପ୍ରମୁଖ ବହୁ ଶିକ୍ଷାବିତ, ବୁଦ୍ଧିଜିବୀମାନେ ଉପସ୍ଥିତ ଥଲେ ।


