କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମହାଦୁର୍ନୀତି ଘଟଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମହାଦୁର୍ନୀତି ଘଟଣାରେ ଆଉ ଏକ ଫର୍ଦ୍ଦ ଜୋଡି ହୋଇଯାଇଛି । ମହାବିଦ୍ୟାଳୟର ନାକ୍ ମାନ୍ୟତା ବଜାୟ ରଖିବା ପାଇଁ ଖୁବଶୀଘ୍ର ନାକ ପକ୍ଷରୁ ଏକ ତଦନ୍ତକାରୀ ଟିମ ମହାବିଦ୍ୟାଳୟକୁ ପରିଦର୍ଶନ କରିବା ପାଇଁ ଆସିବେ । ତେଣୁ ନାକଟିମର ପ୍ରାକ୍ ପ୍ରସ୍ତୁତି ନାମରେ କଲେଜ ପକ୍ଷରୁ ୩କୋଟି ୨୦ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ନାକଟିମ୍ର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ସମ୍ପାଦନ ନିମନ୍ତେ ସମ୍ପୂର୍ଣ୍ଣ ଅର୍ଥକୁ ବ୍ୟୟ କରିବା ଦାୟୀତ୍ୱରେ ଅର୍ଥନୀତି ବିଭାଗର ଜନୈକ ଅଧ୍ୟାପକଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଯାହାର ପ୍ରଥମ ସୋପାନରେ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣ ପାଇଁ ୬୦ଲକ୍ଷ ବ୍ୟୟ ବରାଦରେ ନିର୍ମିତ ଅତ୍ୟନ୍ତ ନିମ୍ନମାନର ରାସ୍ତା ପାଇଁ ୫୧ଲକ୍ଷରୁ ଉର୍ଦ୍ଧ୍ୱ ଅର୍ଥ ବିନା ବୈଷୟିକ ଯାଞ୍ଚରେ ପେମେଣ୍ଟ ହୋଇଛି । ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଜନୈକ କର୍ମଚାରୀଙ୍କ ନାମରେ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିଲା । ଅତ୍ୟନ୍ତ ନିମ୍ନମାନର ନିର୍ମିତ ଏହି ରାସ୍ତା ନିର୍ମାଣରେ ପ୍ରାୟ ୨୨ଲକ୍ଷ ଟଙ୍କା ପ୍ରକୃତରେ ଖର୍ଚ୍ଚ ହୋଇଥିବା ବେଳେ ୫୧ଲକ୍ଷରୁ ଅଧିକ ଅର୍ଥ ବିନା ବୈଷୟିକ ଯାଞ୍ଚରେ ବିଭାଗୀୟ ଠିକାଦାରଙ୍କୁ ପ୍ରଦାନ କରାଯାଇଛି । ନିମ୍ନମାନର ଓ ସଠିକ ଭାବରେ ନିର୍ମିତ ହୋଇନଥିବା ସେହି ରାସ୍ତା ଉପରେ ବର୍ଷା ହେଲେ ଗାଡିଆ ବା ପୋଖରୀ ଭଳି ଖାଲରେ ପାଣି ଜମି ରହୁଥିବା ଦେଖାଯାଇଛି । ୨୨ଲକ୍ଷ ଟଙ୍କାର ବ୍ୟୟ ପରେ ବକେୟା ଅର୍ଥକୁ କଲେଜ କତ୍ତୃପକ୍ଷ, ୨ଜଣ ଅଧ୍ୟାପକ ଓ ସଂପୃକ୍ତ ବିଭାଗୀୟ ଠିକାଦାର ନିଜ ଭିତରେ ବାଣ୍ଟି ନେଇଥିବା ଅଭିଯୋଗ ହୋଇଛି । ତେଣୁ ନାକଟିମର ପ୍ରାକ୍ ପ୍ରସ୍ତୁତି ନାମରେ କଲେଜ ପକ୍ଷରୁ ବ୍ୟୟ ବରାଦ କରାଯାଇଥିବା ୩କୋଟି ୨୦ଲକ୍ଷ ଟଙ୍କାର ବାକି ଅର୍ଥରେ କିଭଳି ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଓ ଉପକରଣ କିଣିବା ପ୍ରଭୃତି କାର୍ଯ୍ୟ ସମ୍ପାଦନ କରାଯିବ ତାହା ଏଥିରୁ ଜଳ ଜଳ ହୋଇ ଦେଖାଯାଉଛି । ଘରେ ନପସୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଆରମ୍ଭରୁ ରାସ୍ତା ନିର୍ମାଣରେ ୨୯ଲକ୍ଷ ଟଙ୍କାର ମହାଦୁର୍ନୀତି ଘଟଣା ଆଗକୁ ଅଧିକ ଦୁର୍ନୀତି ହେବାର ସମ୍ଭାବନାକୁ ସୂଚାଇ ଦେଉଛି । ଏହାବ୍ୟତିତ ମହାବିଦ୍ୟାଳୟ କ୍ୟାମ୍ପସ ୱାଇଫାଇ କରାଯିବା ପାଇଁ ୨୫ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । କିନ୍ତୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାଇ ୫ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ କଲେଜ କ୍ୟାମ୍ପସକୁ ୱାଇଫାଇ କରାଯାଇ ପାରିବ । କିନ୍ତୁ ଦୁର୍ନୀତି କରିବା ଉଦେଶ୍ୟ ନେଇ ୫ଲକ୍ଷ ଟଙ୍କା ବଦଳରେ ୨୫ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଅଭିଯୋଗ ହୋଇଛି । ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଥିବା ବେଳେ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅର୍ଥକୁ ହରିଲୁଟ କରାଯାଉଥିବାରୁ ସମ୍ପୂର୍ଣ୍ଣ ଘଟଣା ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବାକୁ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବଙ୍କ ନିକଟରେ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ବାନାମ୍ବର ସାହୁ, ପରମାନନ୍ଦ ମହାରଣା, ଶରତ ସିଂ, ଚିନ୍ମୟ ବଳ, ଅଭିନାଶ ମଲିକ, ସତ୍ୟରଞ୍ଜନ ସେନାପତି, ଦୈତାରୀ ସେଠୀ, ପ୍ରଦୀପ ସାହୁ, ବରଦାପ୍ରସନ୍ନ ମହାନ୍ତି, ମଳୟରଞ୍ଜନ ପରିଡା, ବିଶ୍ୱଜିତ ଦାସ, ମନୋରଞ୍ଜନ ପାତ୍ର ପ୍ରମୁଖ ଦାବି କରିଛନ୍ତି ।