କେନ୍ଦ୍ରାପଡ଼ା ପୈାରସଂସ୍ଥା ନଗରପାଳ ପଦ ପାଇଁ ୫ ନାମାଙ୍କନ ଦାଖଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ନଗରପାଳ ପ୍ରାର୍ଥୀଭାବେ କେଉଁ ଦଳ କାହାକୁ ଟିକଟ ଦେବ ସେ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ଶେଷ ହୋଇଛି । ବିଜୁ ଜନତା ଦଳରୁ ସରିତା ସାହୁ, କଂଗ୍ରେସରୁ ଲକ୍ଷ୍ମୀପ୍ରିୟା ବାରିକ ଓ ବିଜେପିରୁ ମିନାକ୍ଷୀ ଦାସ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଓଡିଶା ଜନତାପାର୍ଟିରୁ ତୁଳସୀ ମହାରଣା ଓ ବିଏସପିରୁ ରଶ୍ମିତା ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସରିତାଙ୍କ ସ୍ୱାମୀ ହେଉଛନ୍ତି ପୂର୍ବତନ କାଉନସିଲର ରଞ୍ଜିତ ସାହୁ । ବିଜେପି ନଗରପାଳ ପ୍ରାର୍ଥୀନୀ ମିନାକ୍ଷୀ ଦାସ ହେଉଛନ୍ତି ପୂର୍ବତନ ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପତ୍ନୀ । ସେହିପରି କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବାରିକ ହେଉଛନ୍ତି ପୂର୍ବତନ କାଉନସିଲର ଗୋପିନାଥ ବାରିକଙ୍କ ପତ୍ନୀ । ଲକ୍ଷ୍ମୀପ୍ରିୟା ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ଲକ୍ଷ୍ମୀପ୍ରିୟା ୨୦୧୧ ମସିହାରେ ବିଜେଡିର ନାରୀ ନେତ୍ରୀ ତଥା ପୂର୍ବତନ ପୈାରାଧ୍ୟକ୍ଷା ରୋସ୍ନା ସାହୁଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇ ଚର୍ଚ୍ଚାରେ ରହିଥିଲେ । ସେହିପରି ତୁଳସୀ ହେଉଛନ୍ତି ସାମ୍ବାଦିକ ଅମରବର ବିଶ୍ୱାଳଙ୍କ ପତ୍ନୀ । ଆଜି ୩ ଦଳର ନଗରପାଳ ପ୍ରାର୍ଥୀନୀ ସେମାନଙ୍କ ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ପୈାର କାର୍ଯ୍ୟାଳୟ ପରିସରରେ ପହଞ୍ଚି ବା ପରେ ନିର୍ବାଚନ ଅଧିକାରୀ ନିରଞ୍ଜନ ବେହେରାଙ୍କ ନିକଟରେ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ ।


