କେନ୍ଦ୍ର-ରାଜ୍ୟ ହାତ ମିଳାଇଲେ କିଷାନ୍-କାଳିଆ ମିଶିଲା, ଆସନ୍ତା ଆର୍ଥିକ ବର୍ଷରୁ ଲାଗୁ ହେବ

ଭୁବନେଶ୍ୱର : ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ଶେଷରେ ରାଜ୍ୟ ଓ କେନ୍ଦ୍ର ସରକାର ସେହି ପ୍ରସଙ୍ଗରେ ହାତ ମିଳାଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ୍ ଓ ରାଜ୍ୟ ସରକାରଙ୍କ “କାଳିଆ’ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ଦୁଇଟି ପୃଥକ୍ ପୃଥକ୍ ନୁହେଁ, ବରଂ ଗୋଟିଏ ଯୋଜନା ଭାବେ ଏହା ଓଡ଼ିଶାରେ କାର୍ଯ୍ୟ କରିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଇତିମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ଜଣାପଡିଛି ।
ଅର୍ଥାତ୍ ଓଡ଼ିଶାର ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶି ୧୬ ହଜାର ଟଙ୍କା ନୁହେଁ, ବରଂ ୧୦ ହଜାର ଟଙ୍କା ପାଇବେ । ପୂର୍ବରୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ୬ ହଜାର ଟଙ୍କା ଏମିତି ୧୬ ହଜାର ଟଙ୍କା ଚାଷୀ ପାଇବା ଲାଗି ସୁଯୋଗ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ୬ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ୪ ହଜାର ଟଙ୍କା, ଏମିତି ୧୦ହଜାର ଟଙ୍କା ପାଇବେ । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ରାଜ୍ୟ ରାଜକୋଷ ଉପରେ ଚାପ କମିଛି, ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂପର୍କରେ ସୁଧାର ଆସିଛି ବୋଲି ସ୍ପଷ୍ଟ ହୋଇଯାଇଛି । ହେଲେ ଚାଷୀ କିନ୍ତୁ କ୍ଷତି ସହିଛି । ଅବଶ୍ୟ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ହିତାଧିକାରୀ ଚିହ୍ନଟ ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯେଉଁଥିପାଇଁ କେନ୍ଦ୍ର ଯୋଜନାର ଶତ ପ୍ରତିଶତ ଲାଭ କାଳିଆ ହିତାଧିକାରୀମାନେ ପାଇନଥିବା ଅଭିଯୋଗ ଉଠିଥିଲା । ଏପରିକି ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ କେତେ ଚାଷୀ ୬ହଜାର ଟଙ୍କା ପାଇଛନ୍ତି, ସେ ହିସାବ ସଂପର୍କରେ କେହି ମୁହଁ ଖୋଲୁନାହାନ୍ତି ।
୨୦୧୯ ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସନ୍ତୁଷ୍ଟ କରିବା ଲାଗି ରାଜ୍ୟ ସରକାରଙ୍କ ବଡ଼ ଯୋଜନା ଥିଲା “କାଳିଆ’ । ବିଭିନ୍ନ ରାଜ୍ୟ ଚାଷୀଙ୍କୁ ସହାୟତାର ହାତ ବଢାଇବାକୁ ଯାଇ ଋଣ ଛାଡକୁ ଅସ୍ତ୍ର କରିଥିଲେ । ହେଲେ ଋଣ ଛାଡରୁ ଦୂରେଇଯାଇ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଏହି “କାଳିଆ’ ଯୋଜନା ଆରମ୍ଭ କରିଥିଲେ । ସେତେବେଳେ ଏହି ଯୋଜନାକୁ ଭାରତବର୍ଷରେ ସବୁଠାରେ ପ୍ରଶଂସା ମିଳିଥିଲା । ପରବର୍ତୀ ସମୟରେ ବିରୋଧୀ ଶକ୍ତିର ସମସ୍ତ ଚାପକୁ ଏଡାଇ ଯାଇ କେନ୍ଦ୍ର ସରକାର ମଧ୍ୟ ଋଣ ଛାଡ଼ ପ୍ରସଙ୍ଗରୁ ଓହରିଥିଲେ ଓ କାଳିଆ ଢାଞ୍ଚାରେ ପ୍ରଧାନମନ୍ତ୍ରୀ କିଷାନ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହା ସତ୍ତେ୍ୱ ଏମିତି କ୍ୱଚିତ୍ ନିର୍ବାଚନୀ ସଭା ବା କାର୍ଯ୍ୟକ୍ରମ ଥିଲା, ଯେଉଁଥିରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ବାକ୍ ବିତଣ୍ଡା ଲାଗିନଥିଲା । ତେବେ ସେ ଯାହା ହେଉନା କାହିଁକି “କାଳିଆ’ ଯୋଜନା ହିଁ ଶାସକ ବିଜେଡି ପାଇଁ ନିର୍ବାଚନ ସମୟରେ ବେଶ୍ ପ୍ରଭାବ ରଖିଥିଲା ।
ଉଲ୍ଲେଖଯାଗ୍ୟ, କାଳିଆ ଯାଜନାରେ ସରକାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ଚାଷୀଙ୍କୁ ୨୫୫୨ କାଟି ୬୪ ଲକ୍ଷ ଟଙ୍କା ଦେଇ ସାରିଛନ୍ତି । ଦ୍ୱିତୀୟ କିସ୍ତିର ଟଙ୍କା ନଭେମ୍ବରରେ ଦେବେ ବୋଲି କହିଥିଲେ । ହେଲେ ଗୋଟିଏ ସୂତ୍ରରୁ ସୂଚନା ମିଳିଛି ଯେ ମାତ୍ର ଏଯାଏ ୧୦ ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଁଏ ମିଳିଛି । କାଳିଆ ଯୋଜନାରେ ସମୁଦାୟ ୭୫ ଲକ୍ଷ ଚାଷୀଙ୍କୁ ସାମିଲ କରିବେ ବୋଲି ସରକାର ଘୋଷଣା କରିଥିଲେ । ହେଲେ ହିତାଧିକାରୀ ଚୟନକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହି ଯୋଜନାର ଗତିରୋଧ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ