କେନ୍ଦ୍ର ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ୧୩ତମ ସାଧାରଣ ସଭା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅବସରପ୍ରାପ୍ତ କର୍ମଚାରୀ ସଂଘର ୧୩ତମ ସାଧାରଣ ସଭା ସଂଘର ସଭାପତି ଶ୍ରୀ ହରିଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ କର୍ମଚାରୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରସାଦ ମହାପାତ୍ର ଯୋଗଦେଇ ନିଜ ବକ୍ତବ୍ୟରେ ପୁରାତନ କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ ଫଳରେ ଆଜି ଏହି ବ୍ୟାଙ୍କ୍ ସମଗ୍ର ଓଡ଼ିଶାରେ ୧ନଂ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ବ୍ୟାଙ୍କ୍ର ଅଗ୍ରଗତି ପାଇଁ ଆବଶ୍ୟକସ୍ଥଳେ ସେମାନଙ୍କର ସାହାଯ୍ୟ ଆଶା କରିଥିଲେ । ଏଥିସହିତ ପୁରାତନ କର୍ମଚାରୀମାନଙ୍କର ବାକିଆଥିବା ଅବସରକାଳୀନ ପ୍ରାପ୍ୟ, ସଂଘକୁ ଏକ ବ୍ୟାଙ୍କ ପରିସରରେ ଏକ ଅଫିସ୍ ପ୍ରକୋଷ୍ଠ ଏବଂ ପେନ୍ସନ୍ ପାଉନଥିବା ପୂର୍ବତନ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉପରେ ଅତିଶୀଘ୍ର ପରିଚାଳନା ପରିଷଦରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଲ୍ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କର ସଂପାଦକ ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ମହାନ୍ତି ସଂଗଠନ ଓ କର୍ମଚାରୀମାନଙ୍କର ବିଭିନ୍ନ ଦାବି, ସୁବିଧା, ଅସୁବିଧା ଉପରେ ରାଜ୍ୟସ୍ତରୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ତାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବ୍ୟାଙ୍କର ଡିଜିଏମ୍ ତଥା ବ୍ୟାଙ୍କ କର୍ମଚାରୀ ସଂଘର ସଂପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦାସ ପୂର୍ବତନ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସଂଘର ସଂପାଦକ ଶ୍ରୀଯୁକ୍ତ ବାଳକୃଷ୍ଣ ନନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ । ଏଥିରେ ୨୦୦ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଶ୍ରୀ ମନୋରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।